ଏସିଏଫ୍ ମୌମ୍ୟରଂଜନ ମୃତ୍ୟୁ ମାମଲା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ଓ ପାରଳାଖେମୁଣ୍ଡି ଡିଏଫ୍ଓ
ଭୁବନେଶ୍ୱର: ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେରେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଭୟ ହାଇକୋର୍ଟରେ ପୃଥକ ପୃଥକ ମାମଲା ଦାୟର କରିଛନ୍ତି। ଉଭୟ ମାମଲାରେ ରାଜ୍ୟ ସରକାର ଓ ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଗତ ଏପ୍ରିଲ ମାସରେ ମୃତ ଏଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ଏକ ପ୍ରୋଟେଷ୍ଟ ପିଟିସନ ଫାଇଲ କରିଥିଲେ। ତାଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଦଫା ୩୦୨ (ହତ୍ୟା) ଓ ୧୨୦/ବି (ଅପରାଧିକ ଷଡ଼ଯନ୍ତ୍ର)ରେ ବିଚାର ଚାଲିବ ବୋଲି କହିଥିଲେ। ତା’ ସହିତ ଏହି ତିନି ଜଣଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ।
ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନ, ରେକର୍ଡ କରାଯାଇଥିବା ସାକ୍ଷୀଙ୍କ ବୟାନ ଓ ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ଅନ୍ୟାନ୍ୟ ଦସ୍ତାବିଜକୁ ତର୍ଜମା କରି ଅଦାଲତ ଏପରି ନିର୍ଦ୍ଦେଶ ଦେଇଥିଲେ।
Powered by Froala Editor