ନଷ୍ଟ ହେବନି ଖାଦ୍ୟ ଶସ୍ୟ, ପ୍ରତି ବ୍ଲକରେ ନିର୍ମାଣ କରାଯିବ ୨ ହଜାର ଟନ କ୍ଷମତାର ଗୋଦାମ
ସଂରକ୍ଷଣ ଅଭାବରୁ ନଷ୍ଟ ହେବନି ଖାଦ୍ୟ ଶସ୍ୟ। ବଢ଼ାଯିବ ଖାଦ୍ୟଶସ୍ୟ ସଂରକ୍ଷଣ କ୍ଷମତା। ଏଥିପାଇଁ ଦେଶର ସବୁ ସମବାୟ କ୍ଷେତ୍ରରେ ତିଆରି ହେବ ଅଧିକ ସଂରକ୍ଷଣ କ୍ଷମତା ସଂପନ୍ନ ଗୋଦାମ। କେନ୍ଦ୍ର କ୍ୟାବିନେଟ୍ ବୁଧବାର ବିଶ୍ୱର ସର୍ବବୃହତ ଖାଦ୍ୟ ଭଣ୍ଡାରଣ ଯୋଜନାକୁ ଅନୁମୋଦନ ଦେଇଛି । ଏହି ଯୋଜନା ଅଧିନରେ ଦେଶର ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତାକୁ ବୃଦ୍ଧି କରିବାକୁ ପ୍ରତି ବ୍ଲକରେ ୨ ହଜାର ଟନ କ୍ଷମତାର ଗୋଦାମ ନିର୍ମାଣ କରାଯିବ ।
ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କ୍ୟାବିନେଟ୍ ବୈଠକରେ ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଷ୍ଟୋରେଜ୍ ଯୋଜନାକୁ ଅନୁମୋଦନ ମିଳିଛି। ବର୍ତ୍ତମାନ ଦେଶ ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତା ୧୪୫୦ ଲକ୍ଷ ଟନ୍ ଥିବାବେଳେ ସେଥିରେ ଆଉ ୭୦୦ ଲକ୍ଷ ଟନ କ୍ଷମତା ବୃଦ୍ଧି କରାଯିବ ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, 'ଭାରତ ବିଶ୍ବରେ ଖାଦ୍ୟଶସ୍ୟର ସବୁଠୁ ବଡ଼ ଉତ୍ପାଦକ ମଧ୍ୟରୁ ଗୋଟିଏ। ଅନ୍ତର୍ଜାତୀୟ ସ୍ତରରେ ସବୁ ବଡ଼ ଉତ୍ପାଦକ ଚୀନ, ଆମେରିକା, ବ୍ରାଜିଲ୍, ରୁଷ, ଆର୍ଜେଣ୍ଟିନା ଆଦିଙ୍କ ପାଖରେ ନିଜର ବାର୍ଷିକ ଉତ୍ପାଦନଠାରୁ ଅଧିକ ସଂରକ୍ଷଣ କ୍ଷମତା ରହିଛି। କିନ୍ତୁ ଭାରତରେ ଅନ୍ନ ସଂରକ୍ଷଣ କ୍ଷମତା ବାର୍ଷିକ ଉତ୍ପାଦନର କେବଳ ୪୭% ରହିଛି । ଫଳରେ ଖାଦ୍ୟ ଶସ୍ୟ ନଷ୍ଟ ହେଉଛି ଚାଷୀ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅଧିକ ସଂରକ୍ଷଣ କ୍ଷମତା ଦ୍ବାରା ଚାଷୀଙ୍କ ପାଇଁ ପରିବହନ ଖର୍ଚ୍ଚ କମ୍ ହେବ ଓ ଖାଦ୍ୟ ସୁରକ୍ଷା ମଜବୁତ ହେବ।
Powered by Froala Editor