ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଗୋଷ୍ଠୀ ସଂଘର୍ଷ, ଅକୋଲାରେ ୧୪୪ ଧାରା ଲାଗୁ
ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରର ଅକୋଲା ଜିଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ହାତାହାତି ଓ ପଥର ମାଡ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଗୋଷ୍ଠୀ ସଂଘର୍ଷ ପରେ ପୁଲିସ୍ ବାଧ୍ୟ ହୋଇ ଅକୋଲାରେ ୧୪୪ ଧାରା ଲାଗୁ କରିଛି। ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି। ସ୍ଥିତିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବିପୁଳ ସଂଖ୍ୟାରେ ପୁଲିସ୍ ଫୋର୍ସ ବି ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ଜଣେ ଧାର୍ମିକ ନେତାଙ୍କ ବିରୋଧରେ ବିବାଦୀୟ କଥା ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା। ଏହା ବିରୋଧରେ ପ୍ରଥମେ ଗୋଟିଏ ଗୋଷ୍ଠୀର ଲୋକ ଶନିବାର ବିଳମ୍ବିତ ରାତିରେ ପୁଲିସ୍ ଷ୍ଟେସନରେ ପହଞ୍ଚିଥିଲେ। ପୁଲିସ୍ ସେମାନଙ୍କ ଅଭିଯୋଗ ଅନୁସାରେ ମାମଲା ପଞ୍ଜୀକରଣ କରୁଥିବା ବେଳେ ହଠାତ ସେମାନେ ସେଠାରେ ରଖାଯାଇଥିବା ଗାଡ଼ିଗୁଡ଼ିକୁ ଭାଙ୍ଗିବା ସହ ପଥର ମାଡ଼ କରିଥିଲେ। ଏଥିସହ କିଛି କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ। ଏହାକୁ ପ୍ରତିହତ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲୁହାବୁହା ଗ୍ୟାସ ବ୍ୟବହାର କରିଥିଲା। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ଅତିରିକ୍ତ ପୋଲିସ ସୁପରିଣ୍ଡେଣ୍ଟେ ମନିକା ରାଉତ କହିଛନ୍ତି।
ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ସହ ୧୪୪ ଧାରା ଲଗାଯାଇଛି। ହିଂସାକାଣ୍ଡରେ ୮ଜଣ ସାଧାରଣ ଲୋକଙ୍କ ସମେତ ୨ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।
Powered by Froala Editor