ନାଲକୋ ଚାକିରିଆ କହି ଓଏଏସ୍ଙ୍କୁ ବାହାହେଲେ, ଏବେ ଫସିଲେ
ମିଛ କହି ଓଏଏସ୍ଙ୍କୁ ବାହାହେଲେ । ନାଲକୋରେ ମ୍ୟାନେଜର ଅଛି ବୋଲି କହିଥିଲେ । ବଡ ବଡ ସ୍ୱପ୍ନ ଦେଖାଇଥିଲେ । ହେଲେ କେତେଦିନ ମିଛରେ ସଂସାର ଚାଲିଥାନ୍ତା । ସାମ୍ନାକୁ ଆସିଲା ମିଛୁଆ ସ୍ୱାମୀର ଚେହେରା । ଏହା ଜଣାପଡିବା ପରେ ମହିଳା ଓଏଏସ୍ ସମ୍ପୃକ୍ତ ଯୁବକଙ୍କ ନାମରେ ଦୁଷ୍କର୍ମ ଓ ଯୌତୁକ ନିର୍ଯାତନା ନେଇ ଏତଲା ଦେଇଛନ୍ତି। ଜୟପୁର ଟାଉନ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ସ୍ବାମୀ, ଶାଶୁ, ଶ୍ବଶୁର ଓ ନଣନ୍ଦଙ୍କ ନାମ ଏତଲାରେ ଦରଜ କରାଯାଇଛି।
କୋରାପୁଟ ଜିଲ୍ଲା ଜୟପୁର ସହରରେ ଏଭଳି ଘଟଣା ଘଟିଛି। ଓଏଏସ୍ ଙ୍କ ଅଭିଯୋଗ ଅନୁଯାୟୀ ପୁଲିସ କହିଛି ଯେ, ମେଟ୍ରୋମନିଆଲ ସାଇଟ ଦେଖି ଗତ ଫେବ୍ରୁଆରି ୯ତାରିଖ ଜୟପୁର ପାରାବେଢ଼ା ଶ୍ରୀରାମନଗର ଅଂଚଳର ରାଜାରାମ ସିଂଙ୍କ ଝିଅ ତଥା ପ୍ରଶାସନିକ ଅଧିକାରୀ ରିତୁ ସିଂ ଲିଙ୍ଗରାଜନଗର ଅଂଚଳର ରୁଦ୍ରନାଥ ରଥଙ୍କ ପୁଅ ହରିହର ରଥଙ୍କ ସହ ବାହା ହୋଇଥିଲେ। ହରିହର ମେଟ୍ରୋମନିଆଲ ସାଇଟରେ ସେ ନାଲକୋର ନୂଆଦିଲ୍ଲୀସ୍ଥିତ ବ୍ୟବସାୟିକ କାର୍ଯ୍ୟାଳୟରେ ଡେପୁଟି ମ୍ୟାନଜର (ଫାଇନାନ୍ସ) ଭାବେ କାମ କରୁଥିବା ଦର୍ଶାଇଥିଲେ। ଏହାକୁ ଦେଖି ଉଭୟଙ୍କ ପରିବାରବର୍ଗଙ୍କ ସହମତିରେ ବାହାଘର ହୋଇଥିଲା। ଫେବ୍ରୁଆରୀ ୯ ତାରିଖରେ ବେଶ ଧୁମଧାମରେ ବିବାହ ବି ହେଲା।
ହେଲେ ବିବାହର କିଛିଦିନ ପରେ ହରିହରଙ୍କ ଚାକିରିକୁ ନେଇ ସନ୍ଦେହ କରିଥିଲେ ମହିଳା ଓଏଏସ୍। ଏଥିପାଇଁ ସେ ସ୍ବାମୀଙ୍କୁ ଚାକିରି ପ୍ରମାଣପତ୍ର ମାଗିଥିଲେ। ଦିଲ୍ଲୀରେ କେଉଁଠି ରହୁଛନ୍ତି ତାର ଠିକଣା ବି ମାଗିଥିଲେ। ତେବେ କୌଣସି ନା କୌଣସି ବାହାନା କରି କଥାକୁ ଟାଳିବାକୁ ଲାଗିଥିଲେ ହରିହର। ଶେଷରେ ଏକଥା ନିଜ ଶାଶୁ ଓ ଶ୍ବଶୂରକୁ ଜଣାଇଥିଲେ ସେ। ତାଙ୍କ ନିକଟରୁ ମଧ୍ୟ କୌଣସି ସଠିକ ଉତ୍ତର ନ ମିଳିବାରୁ ଶେଷରେ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା ଓଏଏସ୍ ଅଧିକାରୀ।
Powered by Froala Editor