ଲମ୍ବିବ ଗ୍ରୀଷ୍ମ ପ୍ରବାହର ତାଡ଼ନା, ବିଳମ୍ବିତ ହେବ ମୌସୁମୀ ଆଗମନ

ଭୁବନେଶ୍ୱର: ମୌସୁମୀ ପ୍ରବାହ ବିଗିଡ଼ି ଯାଇପାରେ । ଏମିତି ଆଶଙ୍କା ଦେଖାଦେଲାଣି । ସମ୍ଭାବ୍ୟ ଅତି ଭୀଷଣା ବାତ୍ୟା ମୋଖାର ପ୍ରକୋପରୁ ଭାରତ ବର୍ତ୍ତିଯାଇପାରେ । କିନ୍ତୁ ବାତ୍ୟା ପରବର୍ତ୍ତୀ ପ୍ରଭାବ ଚିନ୍ତାଜନକ । କେରଳକୁ ମୌସୁମୀ ଆଗମନ ତାରିଖ ଘୁଞ୍ଚିଯିବ, ସପ୍ତାହେ କି ଦୁଇ ସପ୍ତାହ । ଓଡ଼ିଶା ତାରିଖ ବି ଆନୁପାତିକ ଭାବେ ବିଳମ୍ବିତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା କଲେଣି ।କେବଳ ସେତିକି ନୁହେଁ, ଗ୍ରୀଷ୍ମ ପ୍ରବାହର ତାଡ଼ନା ଲମ୍ବିବ ।
ପାଣିପାଗ ପୂର୍ବାନୁମାନ-ଆସନ୍ତା ତିନି ଚାରି ଦିନ ଭିତରେ ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ଛୁଇଁପାରେ ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତରଣ ଅଞ୍ଚଳରେ । ଏମିତି ହେଲେ ଗ୍ରୀଷ୍ମ ଜ୍ୱାଳାରେ ଛଟପଟ ହେବେ ଜନଜୀବନ । ଚାଷ କାର୍ୟ୍ୟ ବି ପ୍ରଭାବିତ ହେବା ଆଶଙ୍କା ରହିଛି ।
ପାଣିପାଗ ବିଶେଷଜ୍ଞଙ୍କଆକଳନ ହେଲା, ବାତ୍ୟା ପ୍ରଭାବରେ ପ୍ରଥମେ ବିଷୁବ ମଣ୍ଡଳ ପଟୁ ମୌସୁମୀ ବାୟୁ ପ୍ରବାହ ଅଧିକ ସକ୍ରିୟ ହୋଇଯିବ । ଫଳରେ ଆଣ୍ଡାମାନକୁ ମେ’ ତୃତୀୟ ସପ୍ତାହରେ ମୌସୁମୀ ଆଗମନ ସମ୍ଭାବନା ଅଛି ।କିନ୍ତୁ, ୧୮ ତାରିଖ ପରେ ବିଷୁବ ମଣ୍ଡଳ ପଟୁ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇଯିବା ଆଶଙ୍କା ରହିଛି । ଫଳରେ କେରଳକୁ ଧାର୍ୟ୍ୟ ସମୟ (ଜୁନ୍ ୧ ତାରିଖ)ରେ ମୌସୁମୀ ପ୍ରବେଶ କରି ନ ପାରେ । ବିଷୁବ ମଣ୍ଡଳରେ ମୌସୁମୀ ସକ୍ରିୟ ହେବାକୁ ସପ୍ତାହେ କିମ୍ବା ଦୁଇ ସପ୍ତାହ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି । କେରଳରେ ଡେରି ହେଲେ ଓଡ଼ିଶାରେ ପହଞ୍ଚିବ ବିଳମ୍ବରେ । ଜୁନ୍ ୧୦ ତାରିଖ ବଦଳରେ ଜୁନ୍ ତୃତୀୟ ସପ୍ତାହରେ ମୌସୁମୀ ଆସିପାରେ ଓଡ଼ିଶା ।
Powered by Froala Editor