ଇମ୍ରାନଙ୍କ ଗିରଫଦାରୀ ପରେ ଥମୁନି ହିଂସା : ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ, ଲାଗିପାରେ ଜରୁରୀ ପରିସ୍ଥିତି
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ସମଗ୍ର ଦେଶରେ ହିଂସା ବ୍ୟାପିବାରେ ଲାଗିଛି । ପାକିସ୍ତାନ ଧୀରେ ଧୀରେ ଗୃହଯୁଦ୍ଧ ଆଡ଼କୁ ଗତି କରୁଛି ।
ଇମ୍ରାନ ସମର୍ଥକମାନେ ବ୍ୟାପକ ପୋଡ଼ଜଳା କରିବାରେ ଲାଗିଛନ୍ତି। ଏହି ଘଟଣାରେ ୧୦୦୦ରୁ ଅଧିକ ପିଟିଆଇ କର୍ମୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଉତ୍ତେଜନା ଥମିବାର ନାଁ ଧରୁନି। ବିଭିନ୍ନ ସ୍ଥାନରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ପାକିସ୍ତାନ ସରକାର ପୂରା ଦେଶରେ ଇଣ୍ଟରନେଟ ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛନ୍ତି। ଏବେ ଏହି ବନ୍ଦ ଅବଧି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବଳବତ୍ତର ରହିବ।
ଗତକାଲି ଠାରୁ ଅଧିକାଂଶ ଲୋକ ଟ୍ୱିଟର, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋଶାଲ ମିଡିଆ ଆକାଉଣ୍ଟକୁ ଚଳାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିକ୍ଷୋଭ ବେଳେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସବୁ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସରକାର ଇଣ୍ଟରନେଟ ସେବାକୁ ବନ୍ଦ କରିଛନ୍ତି।
ଏପରିସ୍ଥିତିରେ ପାକିସ୍ତାନରେ ଜରୁରୀ ପରିସ୍ଥିତି ଲଗାଇବାକୁ ସେଠାକାର ସରକାର ବିଚାର କରୁଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଘନ ଘନ ବୈଠକ ଚାଲିଛି । ଜରୁରୀ ପରିସ୍ଥିତି ଲାଗିବା ପରେ ସେନା ହାତକୁ କ୍ଷମତା ଚାଲିଆସିବ । ଏପରି ହେଲେ ସେନାର ଦମନଲୀଳା ଆହୁରି ବଢିବାର ସମ୍ଭାବନା ରହିଛି ।
Powered by Froala Editor