ଆଦାନୀ-ହିଣ୍ଡେନବର୍ଗ ମାମଲା ତଦନ୍ତ କରିବାକୁ ଅଧିକ ୬ ମାସ ସମୟ ମାଗିଲା ସେବି

ଆଦାନୀ-ହିଡେନବର୍ଗ ମାମଲା ତଦନ୍ତ ଶେଷ କରିବାକୁ ଆଉ ଅଧିକ ସମୟ ମାଗିଛି ସେବି(ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ। ଏନେଇ ସୁପ୍ରିମକୋର୍ଟରେ ଭାରତୀୟ ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ ତରଫରୁ ଆବେଦନ କରାଯାଇଛି । ଏହି ତଦନ୍ତ ଶେଷ କରିବାକୁ ସେବି ୬ ମାସ ମାଗିଛି।
ସେବି କୋର୍ଟଙ୍କୁ ଜଣାଇଛି ଯେ, ଏହି ମାମଲାରେ ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଓ ଷ୍ଟାଟସ ରିପୋର୍ଟକୁ ବିଶେଷଜ୍ଞ କମିଟିକୁ ଦେଇଛି। ଆଦାନୀ କେଉଁ ନିୟମର ଉଲ୍ଲଘଂନ କରିଛି ସେନେଇ ବିସ୍ତୃତ ରିପୋର୍ଟ ଦିଆାଯାଇଛି । କର୍ପୋରେଟ ଗଭର୍ଣ୍ଣାନ୍ସ, ଅଂଶଧନ ମୂଲ୍ୟରେ ହେରଫେର, ପିଏଫଆଇ ରେଗୁଲେସନରେ ହେରଫେର, ଅନ୍ତରୀଣ ବାଣିଜ୍ୟ ନିୟମ, ସର୍ଟ ସେଲିଂ ନିୟମ ଆଦି ଉଲଂଘନ ସମ୍ପର୍କରେ ସେବି ତଥ୍ୟ ଦେଇଥିବା ସୂଚନା ମିଳିଛି । ସୁପ୍ରିମ୍ କୋର୍ଟ ଗତ ମାର୍ଚ୍ଚରେ ଏହି ମାମଲାର ଶୁଣାଣି କରି ୨ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ସେବି ତଦନ୍ତ ପାଇଁ ଅଧିକ ସମୟ ମାଗିଛି।
ସୂଚନା ଥାଉକି, ୮ଟି କ୍ଷେତ୍ରରେ ଅନିୟମିତତା ହୋଇଥିବା ନେଇ ତଦନ୍ତ କରାଯାଉଛି। ସହାୟକ କମ୍ପାନୀ ସହିତ ସାତୋଟି ତାଲିକାଭୁକ୍ତ ଆଦାନୀ କମ୍ପାନୀ ତଦନ୍ତ ସ୍କାନରରେ ଅଛନ୍ତି। ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ସହିତ ଆଦାନୀ ପାୱାର ଲିମିଟେଡ୍, ଆଦାନୀ ଟ୍ରାନ୍ସମିସନ୍ ଲିମିଟେଡ୍, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍, ଆଦାନୀ ପୋର୍ଟ ଆଣ୍ଡ ସ୍ପେଶାଲ ଇକୋନୋମିକ୍ସ ଜୋନ୍ ଲିମିଟେଡ୍, ଆଦାନୀ ଟୋଟାଲ୍ ଗ୍ୟାସ୍ ଲିମିଟେଡ୍ ଏବଂ ଆଦାନୀ ୱିଲମାର ଲିମିଟେଡ୍କୁ ଡକ୍ୟୁମେଣ୍ଟ୍ ଏବଂ ସୂଚନା ଦାଖଲ କରିବାକୁ କୁହାଯାଇଛି।
Powered by Froala Editor