ସାଂସଦଙ୍କୁ ମଶା କାମୁଡ଼ିଲା, ଅଟକିଲା ଟ୍ରେନ

ଉତ୍ତରପ୍ରଦେଶରେ ସାଂସଦଙ୍କୁ ମଶା କାମୁଡ଼ିବା ଘଟଣାକୁ ନେଇ ଟ୍ରେନ ଅଟକାଇ କରାଗଲା ସଫେଇ । ଏହି ଘଟଣା ଗୋମତି ଏକ୍ସପ୍ରେସ ଟ୍ରେନରେ ଘଟିଛି। ଲକ୍ଷ୍ମୌର ଚାରବାଗ ରେଳ ଷ୍ଟେସନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନରେ ଏଟାର ସାଂସଦ ରାଜବୀର ସିଂହ ଯାତ୍ରା କରୁଥିଲେ। ଯାତ୍ରା କରୁଥିବା ସମୟରେ ତାଙ୍କୁ ମଶା କାମୁଡ଼ି ଦେଇଥିଲା। ଏହି ଘଟଣାକୁ ନେଇ ସାଂସଦ ଟ୍ରେନକୁ ଅଟକାଇବାକୁ କହିଥିଲେ। ଟ୍ରେନ ଅଟକିବା ପରେ ସମ୍ପୂର୍ଣ୍ଣ ବଗି ସଫା କରାଗଲା। ବଗି ସଫା ହେବାପରେ ଟ୍ରେନ ପୁଣି ତାର ଯାତ୍ରାପଥରେ ଆଗେଇଥିଲା।
ଟ୍ରେନର ଫାର୍ଷ୍ଟ କୋଚ ଏସିରେ ସାଂସଦ ରାଜବୀର ସିଂହ ଯାତ୍ରା କରୁଥିଲେ। ଉକ୍ତ ଟ୍ରେନର ଶୌଚାଳୟ ଅପରିଷ୍କାର ରହିବା ସହିତ ମଶା କାମୁଡ଼ୁଥିଲା। ଏହି କାରଣରୁ ସାଂସଦ ତାଙ୍କ ସିଟରେ ବସି ପାରି ନଥିଲେ। ସାଂସଦଙ୍କ ସହିତ ଯାତ୍ରା କରୁଥିବା ମାନ ସିଂହ ଟୁଇଟରରେ ଟ୍ରେନରେ ମଶା କାମୁଡ଼ିବା ଅଭିଯୋଗ କରିଥିଲେ। ଏହି ଟୁଇଟ ପରେ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାଂସଦ ଟ୍ରେନକୁ ଅଟକାଇବାକୁ କହିଥିଲେ। ଟ୍ରେନକୁ ଉନ୍ନାଓରେ ଅଟକାଇ ସଫେଇ କରାଯିବା ସହିତ ମଶାକୁ ଘଉଡାଇବା ପାଇଁ ସ୍ପ୍ରେ କରାଯାଇଥିଲା।
Powered by Froala Editor