ସମ୍ବଲପୁରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ:ଡାକ୍ତରଖାନା, ଔଷଧ ଦୋକାନ ଛାଡ଼ି ସବୁ ବନ୍ଦ
ସମ୍ବଲପୁର: ସମ୍ବଲପୁରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ । ଡାକ୍ତରଖାନା, ଔଷଧ ଦୋକାନ ଛାଡ଼ି ସବୁ ବନ୍ଦ । ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ ଅନିର୍ଧିଷ୍ଟ କାଳ ପର୍ୟ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଅନ୍ୟାଦେଶ ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ, ଗତ ୧୨ ତାରିଖ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ପରେ ୧୪୪ ଧାରା ଜାରି କରାଯାଇଥିଲା। ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ଏସବୁ ସତ୍ତ୍ବେ ସମ୍ବଲପୁରରେ ହିଂସା ଥମିନାହିଁ। ବ୍ୟାପକ ଭଙ୍ଗାରୁଜା ଏବଂ ପୋଡାଜଳା ହୋଇଛି । ଶୋଭାଯାତ୍ରା ବାହାରେ ଜଣଙ୍କ ମୃତ୍ୟୁ ହୋଇଛି ।
ସମ୍ବଲପୁର ସହର କୋଣଅନୁକୋଣରୁ ଶହଶହ ମହିଳା ଭକ୍ତଙ୍କ ସମେତ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ସାମିଲ ହୋଇଥିଲେ। ବୁଧବାର ହିଂସାକାଣ୍ଡ ପରେ ଗତକାଲି ପୁଲିସ୍ ପ୍ରଶାସନ ସତର୍କ ହେବା ସହ ସହର ସାରା କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା। ଏସବୁ ସତ୍ତ୍ବେ ଜିଲ୍ଲା ସ୍କୁଲ୍ ଛକ ଓ ପେନ୍ ସନ୍ ପଡ଼ାରେ ଶୋଭାଯାତ୍ରା ଉପରେ ପଥର ମାଡ଼ କରାଯାଇଥିଲା। ଫଳରେ ପେନ୍ ସନ୍ ପଡ଼ାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏଭଳି ସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଆଗାମୀ ୪୮ ଘଣ୍ଟା ପର୍ୟ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
Powered by Froala Editor