ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ମନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା

ନୂଆଦିଲ୍ଲୀ : ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା। ପ୍ରଥମ ଭାରତ ଜନ୍ମିତ ଅର୍ଥନୀତିଜ୍ଞ ଭାବେ ଆମେରିକା ତାଙ୍କୁ ଏହି ପଦ ପାଇଁ ମନୋନୀତ କରିଛି । ଲେଫ୍ଟନାଣ୍ଟ ଜେନେରାଲ ହରଭଜନ ବାଙ୍ଗାଙ୍କ ପୁଅ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ସ୍ନାତକ ସହ ଆଇଆଇଏମ୍-ଅହମ୍ମଦାବାଦରୁ ଉତ୍ତୀର୍ଣ୍ଣ ୬୩ ବର୍ଷୀୟ ବାଙ୍ଗା ବିଶ୍ବ ବ୍ୟାଙ୍କ ସଭାପତି ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜୟୀ ହେବା ନିଶ୍ଚିତ ଜଣାପଡ଼ୁଛି। ତାଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି। ବିଜୟୀ ହେଲେ ବାଙ୍ଗା ଡେଭିଡ ବାଲପାସ୍ଙ୍କ ଉତ୍ତରାଧିକାରୀ ହେବେ। ବାଙ୍ଗା ପୂର୍ବରୁ ମାଷ୍ଟର କାର୍ଡର ସିଇଓ ଏବଂ ସଭାପତି ଥିଲେ। ଏଥିସହ ଜେନେରାଲ ଆଟଲାଣ୍ଟିକ୍ର ଉପାଧ୍ୟକ୍ଷ, ପେପ୍ସିକୋ, ନେଷ୍ଟଲେ ଭଳି କମ୍ପାନୀର ପ୍ରମୁଖ ପଦରେ କାର୍ୟ୍ୟ କରିଥିଲେ। ବ୍ୟବସାୟ କ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରଖିଥିବା ବାଙ୍ଗା ୨୦୧୬ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ତାଙ୍କ ପରିବାର ପଞ୍ଜାବର ଜଳନ୍ଧର ବାସିନ୍ଦା।
Powered by Froala Editor