ରାହୁଲ ଗାନ୍ଧୀଙ୍କୁ ନୋଟିସ୍, ଏପ୍ରିଲ ୨୨ ସୁଦ୍ଧା ଘର ଛାଡିବେ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଏକ ଝଟ୍କା। ଘର ଖାଲି କରିବାକୁ କଂଗ୍ରେସ ନେତାଙ୍କୁ ନୋଟିସ୍। ମାନହାନି ମାମଲାରେ ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ହରାଇବା ପରେ ଏବେ ତାଙ୍କୁ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିବ। ଏଥିପାଇଁ ଲୋକସଭା ଗୃହ ଆବଣ୍ଟନ କମିଟି ସୋମବାର ରାହୁଲ ଗାନ୍ଧିଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ଜାରି କରିଛି । ଏପ୍ରିଲ ୨୨ ସୁଦ୍ଧା ୧୨, ତୁଗଲକ ରୋଡରେ ଥିବା ସରକାରୀ ବାସଭବନ ଖାଲି କରିବାକୁ କମିଟି ନିର୍ଦ୍ଦେଶ ଦେଇଛି । ୨୦୦୪ରୁ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ଘର ଆବଣ୍ଟନ କରାଯାଇଥିଲା। ଉକ୍ତ ନୋଟିସ୍ ଅନୁଯାୟୀ, ଅଯୋଗ୍ୟ ହେବାର ଏକ ମାସ ମଧ୍ୟରେ ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିବ ବୋଲି ଉଲ୍ଲେଖ କରାଯାଇଛି।
ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କ ଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଦଣ୍ଡାଦେଶର ଦିନକ ପରେ ଗତ ଶୁକ୍ରବାର ଲୋକସଭା ସଚିବାଳୟ ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିଥିଲା ।
ଅନ୍ୟ ପକ୍ଷରେ ରାହୁଲ ଗାନ୍ଧି ଜେଡ୍ ପ୍ଲସ୍ ସୁରକ୍ଷାରେ ଅଛନ୍ତି ତେଣୁ ତାଙ୍କୁ ବାସଭବନ ଯୋଗାଇବା ଗୃହ ମନ୍ତ୍ରାଳୟର ଦାୟିତ୍ବ। ଏ ପରିପ୍ରେକ୍ଷୀରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
Powered by Froala Editor