ଅଧା ବୁଡ଼ିକି ରୁହେ ଏହି ଜାହାଜ, ଜାଣନ୍ତୁ କାହିଁକି...
ଟାଇଟାନିକ୍ ଜାହାଜ ବୁଡି କାହାଣୀ ଅତି ରୋମାଞ୍ଚକର । ଟାଇଟାନିକ ବୁଡି ଯିବା ପରେ ଆଜି ଯାଏ ଇତିହାସ ହୋଇ ରହିଛି । ସେହି ଟ୍ରାଜେଡି ମନେପକାଇଲେ ଛାତି କୋହରେ ଭରିଯାଏ । ଖାଲି ଟାଇଟାନିକ ନୁହେଁ ଜାହାଜ ବୁଡିଯିବାର ଭୟ ଯିଏ ଅନୁଭବ କରିଛି ସେ ଜାଣିଛି । ହେଲେ ଏମିତି ଏକ ଜାହାଜ ବିଷୟରେ ଜାଣିଛନ୍ତି କି?ଯାହା ଅଧା ବୁଡିକି ରୁହେ । ଆପଣ ଦେଖିଲେ କ୍ଷଣିକ ପାଇଁ ଚମକିଯିବେ ଯେ, ଏହା ବୋଧେ ବୁଡିଯିବ । ହେଲେ ଏହି ଜାହାଜ ସେତିକି ଅଧା ବୁଡିକି ରୁହେ ।
ଆମେରିକାର ନୌସେନା ଦ୍ବାରା ଏପରି ଏକ ବିଚିତ୍ର ଜାହାଜ ନିର୍ମାଣ କରାଯାଇଛି, ଯାହା ସ୍ବାଭାବିକ ଭାବେ ପାଣିରେ ଭାସୁଥିଲା ବେଳେ ସତେ ଯେମିତି ଅଧା ବୁଡ଼ିଯାଇଥିବା ପରି ଦେଖାଯାଉଛି। ୧୦୮ ମିଟର ଲମ୍ବର ଏହି ଜାହାଜଟିରେ ଏପରି ବ୍ୟବସ୍ଥା ଖଞ୍ଜାଯାଇଛି, ଯହିଁରେ ଏକ ସ୍ବିଚ୍ ଟିପିଲା ମାତ୍ରେ ତାହା ସମୁଦ୍ର ପାଣିରେ ସମାନ୍ତରାଳ ଭାବେ ଭାସୁଥିବା ଅବସ୍ଥାରୁ ୯୦ ଡିଗ୍ରି କୋଣରେ ଲମ୍ବ ଭାବରେ ପାଣି ଭିତରକୁ ପଶିଯିବ।
ତାହା ଗତି କଲା ବେଳେ ବୁଡ଼ାଜାହାଜ ପରି ୫୦୦୦ ମିଟର ଗଭୀରତାର ପାଣି ତଳକୁ ଯିବାର ସାମର୍ଥ୍ୟ ରଖିଛି। ସେହିପରି ନିଶ୍ଚଳ ଅବସ୍ଥାରେ ତାହାର ମାତ୍ର ୧୭ ମିଟର ଅଂଶ ପାଣି ଉପରେ ରହି ସ୍ଥିରତା ଆଣିବାକୁ ମଧ୍ୟ ସକ୍ଷମ। ୭୦୦ ଟନ୍ ଓଜନର ଏହି ଜାହାଜଟିରେ ୫୦ ଟନ୍ ଓଜନର ଯନ୍ତ୍ରପାତି ଏବଂ ୫ ଜଣ ନାବିକ ଓ ୧୦ ଜଣ ବୈଜ୍ଞାନିକଙ୍କୁ ବହନ କରିବାର ବ୍ୟବସ୍ଥା ରହିଛି। ଏହି ଜାହାଜ ଭିତରେ ଢଳି ଢଳି ଚଳପ୍ରଚଳ କରିବାରେ ଭୀଷଣ ଅସୁବିଧା ହୋଇଥାଏ। ବିଶେଷ କରି ଏହା ଲମ୍ବ ଭାବରେ ରହିଲା ବେଳେ ଏହାର କବାଟ ଝରକାଗୁଡ଼ିକ ଓଲଟିଲା ପରି ଜଣାପଡ଼େ। ତେବେ ଏହା ଗବେଷଣା ପାଇଁ ଉଦ୍ଦିଷ୍ଟ ଥିବାରୁ ତାହା ଭିତରେ ଗବେଷକମାନେ ନିଜକୁ ଖାପ ଖୁଆଇ ନେଇଥା’ନ୍ତି।
Powered by Froala Editor