ଐତିହ୍ୟ ଗ୍ରାମ ସୁଆଣ୍ଡୋକୁ ମିଳିଛି ନୂଆ ରୂପ, ପ୍ରକଳ୍ପର ଲୋକାର୍ପଣ କରିବେ ନବୀନ

ପୁରୀ: ଉତ୍କଳମଣିଙ୍କ ଜନ୍ମପୀଠ ଐତିହ୍ୟ ଗ୍ରାମ ସୁଆଣ୍ଡୋକୁ ମିଳିଛି ନୂଆ ରୂପ । ଏହି ସ୍ମୃତିପୀଠର ସମସ୍ତ ଉନ୍ନୟନ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି । ଗୁରୁବାର ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଉଦ୍ଘାଟନ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସ୍ମୃତିପୀଠର ମୁଖ୍ୟ ଆକର୍ଷଣ ହେଉଛି ସ୍ମାରକୀ ସଂଗ୍ରହାଳୟ, ଷଠିଘର ଓ ଉତ୍କଳମଣିଙ୍କ ୧୫ ଫୁଟ ଉଚ୍ଚତାର ପୂର୍ଣ୍ଣାବୟବ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ।
୨୫.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁଆଣ୍ଡୋ ପ୍ରକଳ୍ପର ପରିକଳ୍ପନା ହୋଇଥିଲା ୨୦୨୦ ଡିସେମ୍ବରରେ । ୭ ଏକର ପରିମିତ ସୁଆଣ୍ଡୋ ପ୍ରକଳ୍ପ ସ୍ଥାନରେ ରହିଛି ପ୍ରମୋଦ ଉଦ୍ୟାନ, ସ୍ମାରକୀ ସଂଗ୍ରହାଳୟ, ପୁଷ୍କରିଣୀ ଓ ଶିଶୁ ଉଦ୍ୟାନ । ମୁଖ୍ୟମନ୍ତ୍ରୀ ସ୍ମାରକୀ ସଂଗ୍ରହାଳୟ ଲୋକାର୍ପଣ ଓ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ସ୍ମୃତିପୀଠରେ ଉତ୍କଳମଣିଙ୍କ ତତ୍କାଳୀନ ପୈତୃକ ବାସଗୃହ ପୂର୍ବପରି ରହିଛି । ମାଟି-ଗୋବର ଲିପା କାନ୍ଥ, ଢିଙ୍କିଶାଳ, ରୋଷ ଘର, ଧାନ କୋଠି ପୂର୍ବବତ୍ ରହିଛି । କେବଳ ସେଠାରେ ଲାଗିଛି ବିଦ୍ୟୁତ ଲଣ୍ଠନ ଓ ସିସି କ୍ୟାମେରା । ବାଇଶନ ବୋର୍ଡ ଓ ସିଲିଂ ଦ୍ୱାରା ଅଗ୍ନି ନିରୋଧକ ଚାଳ ନିର୍ମାଣ କରାଯାଇଛି । ଉତ୍କଳମଣିଙ୍କ ଜନ୍ମପୀଠ ଷଠିଘରକୁ ପୁନଃ ଉଦ୍ଧାର ଓ ଆକର୍ଷଣୀୟ କରାଯାଇଛି । ତାଛଡ଼ା ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ୟୀକରଣ ହୋଇଛି । ଆମ ରାଜ୍ୟର ଗର୍ବ ଓ ଗୌରବ ପଣ୍ଡିତ ଉତ୍କଳମଣି ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋ ଏବେ ସର୍ବଭାରତୀୟ ସ୍ମାରକୀର ମନ୍ୟତା ପାଇବ ।
Powered by Froala Editor