ଆଜି ଭୁବନେଶ୍ୱର ଆସିବ “ଡାକୋଟା’ ବିମାନ
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ “ଡାକୋଟା’ ବିମାନ ଭୁବନେଶ୍ୱର ଆସିବ। କୋଲକାତାର ଦମ୍ଦମ୍ ବିମାନ ବନ୍ଦରରେ ଦୀର୍ଘବର୍ଷ ଧରି ଉପେକ୍ଷିତ ହୋଇ ଏହି ବିମାନର ଯନ୍ତ୍ରାଂଶ ଖୋଲା ସରି ଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଦୁଇଟି କଣ୍ଟେନର୍ର ଲଦା ହୋଇ ଯନ୍ତ୍ରାଂଶ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ରାଜ୍ୟ ସରକାର ଡାକୋଟାକୁ ଭୁବନେଶ୍ୱର ବିମାନବନ୍ଦର ନିକଟରେ ସଂରକ୍ଷଣ କରିବେ ବୋଲି ଜଣାପଡ଼ିଛି ।
ସୋମବାର ବିମାନଟିକୁ ନେଇଯିବାର ଥିଲା, ହେଲେ ସହରରେ ଟ୍ରାଫିକ ସମସ୍ୟା ଲାଗି ଦିନବେଳା କଣ୍ଟେନର ବିମାନବନ୍ଦରରେ ପଶିବା ଅନୁମତି ମିଳିନଥିଲା। ଦୁଇ କଣ୍ଟେନର୍ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି । କଣ୍ଟେନର୍ ଜାତୀୟ ରାଜପଥରେ ଯେପରି ସୁରକ୍ଷିତ ଭାବେ ଆସିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ୧୯୪୭ ଜୁଲାଇ ୨୧ ତାରିଖରେ ବିଜୁବାବୁ ଏହି ଡାକୋଟା ବିମାନରେ ଯାତ୍ରା କରି ତତ୍କାଳୀନ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ବାହାରିନ୍ ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଉଦ୍ଧାର କରି ଭାରତକୁ ଆଣିଥିଲେ। ସେହି ସ୍ମୃତିକୁ ରଖିବା ପାଇଁ ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ ସଂରକ୍ଷିତ ରହିବ। ଏଥିପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି।
Powered by Froala Editor