ଦନ୍ତା ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ଗୁରୁତର
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ନମକାନୀ ଜୁଆଙ୍ଗ ସାହି ନିକଟରେ ଦନ୍ତା ହାତୀ ଆକ୍ରମଣରେ ଗୋଟିଏ ପରିବାରର ତିନି ସଦସ୍ୟ ଗୁରୁତର ହୋଇଛନ୍ତି। ଗୁରୁତରମାନେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ରୋଡଙ୍ଗ ଗ୍ରାମର ସତ୍ୟା ଦେହୁରୀ, ସ୍ତ୍ରୀ ରଶ୍ମିତା ଦେହୁରୀ ଏବଂ ଶିଶୁପୁତ୍ର ଦୀନବନ୍ଧୁ ଦେହୁରୀ ବୋଲି ଜଣାପଡିଛି। ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ ଅନ୍ତର୍ଗତ ନମକାନୀ ଜୁଆଙ୍ଗ ସାହି ନିକଟରେ ରବିବାର ରାତି ପ୍ରାୟ ସାଢେ ୮ଟାରେ ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ସଦସ୍ୟ ଗୁରୁତର ହୋଇଛନ୍ତି। ରୋଡଙ୍ଗ ଗ୍ରାମର ସତ୍ୟା ଦେହୁରୀ ସପରିବାର ନମକାନୀର କେଦାର ମହାନ୍ତଙ୍କ ଘରକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ୮ଟାରେ ସ୍ଵାମୀ, ସ୍ତ୍ରୀ ୩ ଛୁଆଙ୍କୁ ଧରି ବିମଳା ମକର ଯାାତ୍ରା ଦେଖିବାକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ନମକାନୀ ଜୁଆଙ୍ଗ ସାହି ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ। ହାତୀଟି ପ୍ରଥମେ ସ୍ତ୍ରୀ ଓ ପରେ ସତ୍ୟାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଚିତ୍କାର ଶୁଣି ହାତୀଟି ସେଠାରୁ ଚାଲିଯାଇଥିଲା । ହାତୀ ଆକ୍ରମଣରେ ସ୍ଵାମୀ- ସ୍ତ୍ରୀ ଓ ଶିଶୁପୁତ୍ର ଗୁରୁତର ହୋଇ ପଡିଥିଲେ । ସୂଚନା ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor