ସଂସଦରେ ଉଠିଲା ଅର୍ଚ୍ଚନା ନାଗ ମାମଲା
ନୂଆଦିଲ୍ଲୀ: ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟରେ ଇଡି ଖୋଳତାଡ଼ କରୁଥିବା ବେଳେ ଏବେ ଏହି ମାମଲା ସଂସଦରେ ଉଠିଛି । ଲୋକସଭାରେ ଅର୍ଚ୍ଚନା ନାଗଫାଶ ପ୍ରସଙ୍ଗ ଉଠାଇଛନ୍ତି ବିଜେପିର ବରଗଡ଼ ସାଂସଦ ସୁରେଶ ପୂଜାରୀ । ମାମଲାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଏହାସହ ଅର୍ଚ୍ଚନାଙ୍କ ସମ୍ପର୍କରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଇ-ଡିଟେକସନ ଟେଷ୍ଟ କରିବାକୁ ସେ ଦାବି ରଖିଛନ୍ତି ।
ଅର୍ଚ୍ଚନା ନାଗଙ୍କ ହନିଟ୍ରାପ୍ ଓ ମନି ଲଣ୍ଡରିଂ ମାମଲା ଓଡିଶା ଡେଇଁ ଏବେ ଦିଲ୍ଳୀରେ ପହଁଞ୍ଚିଛି । ବିଜେପି ସାଂସଦ ସୁରେଶ ପୂଜାରୀ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଅର୍ଚ୍ଚନାଙ୍କ ନାଗଫାଶରେ ବହୁ ବଡ ବଡିଆ ଫଶିଥିବାର ଅଭିଯୋଗ କରି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । କହିଛନ୍ତି, ଅର୍ଚ୍ଚନାଙ୍କ ହନିଟ୍ରାପରେ ବଡ ବଡ ରାଜନେତା, ବଡ ବ୍ୟବସାୟୀ, ବିଲଡର, ଫିଲ୍ମ ପ୍ରଯୋଜକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଫିସର ଫଶିଛନ୍ତି ।
ଅର୍ଚ୍ଚନା ଏକ ବଡ ସେକ୍ସ ର୍ୟାକେଟ ଚଳାଉଥିଲେ । ସେହି ସେକ୍ସ ର୍ୟାକେଟ ସହାୟତାରେ ସେ ବହୁ ଲୋକଙ୍କୁ ପ୍ରଭାବିତ କରି ବିଭିନ୍ନ ପ୍ରକାର ସୁବିଧା ହାତେଇଥିଲେ । ତେଣୁ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ସୁରେଶ କହିଛନ୍ତି । ଅନ୍ୟପଟେ କେବଳ ସିବିଆଇ ତଦନ୍ତ ନୁହେଁ ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର କରିବାକୁ ଦାବି କରିଛନ୍ତି ପୂଜାରୀ । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ସମସ୍ତଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି ।
ଅର୍ଚ୍ଚନା ନାଗଙ୍କ ମାମଲାରେ ଇଡି ତଦନ୍ତ କରୁଛି । କିନ୍ତୁ ଏହି ମାମଲାରେ ଏଭଳି ଅନେକ ଦିଗ ରହିଛି ଯାହା ପୋଲିସର ତଦନ୍ତ ପରିସରଭୁକ୍ତ । ସେହି ସବୁ ଦିଗରେ ଇଡି ତଦନ୍ତ କରିପାରିବ ନାହିଁ । କିନ୍ତୁ ପୋଲିସ ଠିକରେ ତଦନ୍ତ କରୁନଥିବାରୁ, ସିବିଆଇ ତଦନ୍ତ କଲେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର କାହାଣୀ ପଦାକୁ ଆସିବ ବୋଲି କୁହାଯାଉଛି ।
Powered by Froala Editor