୨୭ ବର୍ଷର କୁଶାସନରୁ ଗୁଜରାଟବାସୀ ମୁକ୍ତ ହେବାକୁ ଯାଉଛନ୍ତି : କେଜରିୱାଲ
ଦିନ କେଇଟା ପରେ ପଡିବ ଗୁଜରାଟ ବିଧାନସଭା ଭୋଟ୍। ତେବେ ଏହାପୂର୍ବରୁ ବିଜେପି ଓ ଆମ୍ ଆଦମୀ ପାର୍ଟି ଜୋର୍ସୋର୍ରେ ପ୍ରସ୍ତୁତି ଚଳାଇଛନ୍ତି। ଆମ ଆଦମୀ ପାର୍ଟି (ଆପ୍)ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ସାମ୍ବାଦିକ ସମ୍ମିଳନୀରେ ଲିଖିତ ଦାବି କରିଛନ୍ତି। ସେ କହିଛନ୍ତି ଯେ ୨୭ ବର୍ଷ ହେଲା କ୍ଷମତା ମାଡିବସିଥିବା ବିଜେପି ଏବେ ହଡବଡେଇ ଯାଇଛି।
ବାଟରେ ଚାଲୁଥିବା ଯେ କୌଣସି ବ୍ୟକ୍ତି ସହିତ ୫ ମିନିଟ୍ କଥା ହୁଅନ୍ତୁ ଜାଣିଯିବେ ତାଙ୍କ ମନରେ କେଉଁ ଦଳ ଲାଗି ଭୋଟ ରହିଛି। ହେଲେ ଲୋକେ ଖୋଲାଖୋଲି ଆପକୁ ଭୋଟ ଦେବେ ବୋଲି କହୁ ନାହାନ୍ତି। ବିଜେପି ଲୋକଙ୍କୁ ଡରେଇ ଧମକେଇ ରାଜ୍ୟରେ ଶାସନ କରୁଥିବା କହିଛନ୍ତି କେଜରିୱାଲ।
ସେ କହିଛନ୍ତି ଯେ ଦୀର୍ଘ ୨୭ ବର୍ଷର କୁଶାସନରୁ ଏଥର ଗୁଜରାଟବାସୀ ମୁକ୍ତ ହେବାକୁ ଯାଉଛନ୍ତି। ଏଥିସହ ଦଳ କ୍ଷମତାକୁ ଆସିଲେ ପଞ୍ଜାବ ଭଳି ଏଠାରେ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ। ଏହାସହ ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ ଓ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ସମସ୍ତ ଦାବି ପୁରଣ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
କେଜରିୱାଲ କହିଛନ୍ତି ଯେ ମୁଁ କରିଥିବା ଅନେକ ରାଜନୈତିକ ଭବିଷ୍ୟତବାଣୀ ସତ୍ୟ ହୋଇଛି, ଏଥର ମଧ୍ୟ ପ୍ରମାଣିତ ହେବ, ଗୁଜରାଟରେ ଆମ ଆଦମୀ ସରକାର ହେବ ବୋଲି ସେ କହିଛନ୍ତି।
Powered by Froala Editor