ଘର ସାଜିଥିଲା ବନ୍ଧୁକ କାରଖାନା, ପୁଲିସର ଅତର୍କିତ ଚଢ଼ଉ
ବୌଦ୍ଧ: ଘରେ ତିଆରି ହେଉଛି ବନ୍ଧୁକ । ଚାଲିଥିଲା କାରଖାନା । ଗତରାତିରେ ପୁଲିସ୍ ଅତର୍କିତ ଭାବେ ଚଢ଼ାଉ କରି ଏପରି କାରଖାନା ଠାବ କରିଛି । ଏପରି ଏକ ବନ୍ଧୁକ କାରଖାନା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ା ଗ୍ରାମରେ ଠାବ ହୋଇଛି । ଏଥିସହ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଏହା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଛନକା ପଶି ଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ଗତକାଲି ବିଳମ୍ବିତ ରାତିରେ ମନମୁଣ୍ଡା ପୁଲିସ୍ ସିଲାଇପଡ଼ା ଗ୍ରାମରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ଏକ ଘରୁ ଜଣେ ବନ୍ଧୁକ କାରିଗର ଶେଷଦେବ ବିନ୍ଧାଣିଙ୍କୁ ଗିରଫ କରାଯିବା ସହ ୨ଟି ପିସ୍ତଲ୍ ଏବଂ ୪ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଚଢ଼ାଉ ସମୟରେ ବନ୍ଧୁକ ତିଆରି କରିବାରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ ହୋଇଛି ।
ମୁଖ୍ୟତଃ କାଠ ଓ ଲୁହାକୁ ବ୍ୟବହାର କରି ଦେଶୀ ବନ୍ଧୁକ ତିଆରି କରାଯାଉଥିଲା । ହେଲେ ଏହି ବନ୍ଧୁକ ତିଆରି ପରେ କାହାକୁ ବିକ୍ରି ହେଉଥିଲା । କିଏ ଏହାପଛରେ ରହିଛି ସେ ସବୁ ଦିଗରେ ଏବେ ଖୋଲତାଡ଼ କରୁଛି ପୁଲିସ୍ । ତେଣୁ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ଆଲୋଚନା ହେଉଛି ।
Powered by Froala Editor