ମଦ ନିଶା: ପେଟ୍ରୋଲ ପକାଇ ୬ ଜଣଙ୍କୁ ଜାଳିଦେଲା
ମଦ ନିଶା ୬ ଜଣଙ୍କୁ ଜୀଅନ୍ତା ଜାଳିଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋଡାଗୁ ଜିଲ୍ଲାର ପୋନ୍ନମ୍ପେଟ ଥାନା ମୁଗଟାଗେରି ଗାଁରେ । ସୂଚନା ଅନୁସାରେ, ୫୦ ବର୍ଷୀଅ ୟେରାଭରା ବୋଜା ମୂଲ ମଜୁରି ଲାଗି ପରିବାର ଚଳାଏ । ପ୍ରତିଦିନ ମଦ ପିଇ ସ୍ତ୍ରୀ ବେବି ସହ ଝଗଡ଼ା କରିଥାଏ । ଏମିତି ଝଗଡ଼ା ପାଇଁ ପ୍ରାୟ ସପ୍ତାହକ ତଳେ ବେବି ସ୍ୱାମୀଙ୍କୁ ଛାଡ଼ି ସେହି ଗାଁରେ ରହୁଥିବା ତାଙ୍କ ଭାଇଙ୍କ ଘରକୁ ପିଲାଛୁଆଙ୍କୁ ନେଇ ପଳାଇଥିଲେ । ସ୍ତ୍ରୀ ପଳାଇବା ପରେ ଶନିବାର ମଦ୍ୟପ ବୋଜା ରାତି ପ୍ରାୟ ୨ଟା ବେଳେ ଶ୍ୱଶୁର ଘରକୁ ଯାଇଥିଲା । ଘର ଉପରକୁ ଚଢ଼ି ଟାଇଲର କିଛି ଖଣ୍ଡ କାଢ଼ି ସ୍ତ୍ରୀ ଶୋଇଥିବା ଘରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଇଥିଲା । ଆଉ ଏହି ନିଆଁରେ ୪ ଛୁଆଙ୍କ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍ତ୍ରୀ ବେବି, ବୋଜାର ମାଉସୀ ଏରଭା ସହ ୪ ଛୁଆ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଅନ୍ୟ ୪ ଜଣ ମେଡିକାଲ୍ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଗୁରୁତରଙ୍କୁ ମୟସୁରୁ ଏବଂ ମାଡିକେରି ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଜାକୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ କରୁଛି । ମଦ ନିଶାରେ ପିଶାଚ ସ୍ୱାମୀ ଏଭଳି କାଣ୍ଡ ଘଟାଇଛି । ଏ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।