ବଢ଼ିଲା ବିଧାୟକଙ୍କ ସ୍ୱାସ୍ଥ୍ୟବୀମା : ଏଣିକି ପାଇବେ ୧୦ ଲକ୍ଷ ଟଙ୍କା

ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବାର୍ଷିକ ସ୍ବାସ୍ଥ୍ୟବୀମା ପରିମାଣକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ବାରମ୍ବାର ଦାବି ହେଉଥିବା ବେଳେ ସ୍ବାସ୍ଥ୍ୟବୀମା ନବୀକରଣ ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ କରିଛନ୍ତି । ଏହାପରେ ପ୍ରତ୍ୟେକ ବିଧାୟକ, ପୂର୍ବତନ ବିଧାୟକ ଓ ସେମାନଙ୍କ ପତ୍ନୀଙ୍କ ନିମନ୍ତେ ୧ ବର୍ଷ ଅବଧି ପାଇଁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ସୁବିଧା ଯୋଗାଇ ଦିଆଯାଉଛି ।
ସୂଚନା ଅନୁସାରେ, ସ୍ୱାସ୍ଥ୍ୟସେବାର ବ୍ୟୟବୃଦ୍ଧି ଦୃଷ୍ଟିରୁ ବିଧାୟକ ଓ ପୂର୍ବତନ ବିଧାୟକମାନେ ଏହି ସ୍ୱାସ୍ଥ୍ୟବୀମା ରାଶିର ପରିମାଣକୁ ବୃଦ୍ଧି କରିବା ନିମନ୍ତେ ବାରମ୍ବାର ଦାବି କରି ଆସୁଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ଦ୍ଦେଶରେ ଉକ୍ତ ସ୍ୱାସ୍ଥ୍ୟବୀମା ରାଶିକୁ ୫ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଅର୍ଥ ବିଭାଗ ଏହି ପ୍ରସ୍ତାବ ଉପରେ ସହମତି ଜଣାଇବା ପରେ ପ୍ରତ୍ୟେକ ବିଧାୟକ,ପୂର୍ବତନ ବିଧାୟକ ଓ ସେମାନଙ୍କ ପତ୍ନୀଙ୍କ ନିମନ୍ତେ ଏକବର୍ଷ ଅବଧି ପାଇଁ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ନବୀକରଣ ପ୍ରସ୍ତାବକୁ ବାଚସ୍ପତି ଶ୍ରୀ ଆରୁଖ ଅନୁମୋଦନ କରିଛନ୍ତି ।
ତେବେ ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନୀ ମାଧ୍ୟମରେ ବିଧାୟକ ଓ ପୂର୍ବତନ ବିଧାୟକ ଓ ସେମାନଙ୍କର ପତ୍ନୀଙ୍କ ନିମନ୍ତେ ବାର୍ଷିକ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଉଥିଲା।
Powered by Froala Editor