ଦୁର୍ବଳ ମୌସୁମୀ, ୧୧ ସହରରେ ୩୫ ଡିଗ୍ରୀ ଉପରେ ତାପମାତ୍ରା
ଭୁବନେଶ୍ୱର : ଯେଉଁ ମାସରେ ବର୍ଷା ଧରାପୃଷ୍ଠକୁ ଭିଜାଇବା କଥା ସେହି ମାସରେ ଅନୁଭୂତ ହେଉଛି ପ୍ରଚଣ୍ଡ ତାତି । ଗତ କିଛି ଦିନ ହେବ ରାଜ୍ୟରେ ଲାଗି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତାତି ସାଙ୍ଗକୁ ଅସହ୍ୟ ଗୁଳଗୁଳି ଜନଜୀବନକୁ ଅତିଷ୍ଠ କରି ପକାଉଛି । ଦିନ ତମାମ ପ୍ରବଳ ଗରମ ଅନୁଭୂତ ହେଉଛି । ପଦାକୁ ବାହାରିଲେ ଦେହରୁ ଝାଳ ଗମ୍ଗମ୍ ହୋଇ ବୋହିଯାଉଛି । ପାର୍ବଣ ଋତୁରେ ବି ରାସ୍ତାଘାଟ ଖାଁ ଖାଁ ଲାଗୁଛି । ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ୟରେ ତାତି ବଢୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ଉପକୂଳ ଠୁ ଉପାନ୍ତ ଯାଏଁ ସବୁଠି ତାତିର ପ୍ରାଦୁର୍ଭାବ ଲାଗି ରହୁଛି । ରାଜ୍ୟର ୧୧ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ଚାନ୍ଦବାଲିର ସର୍ବୋଚ୍ଚ ତାପମାତ୍ର ୩୭.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ଏହା ୩୬.୫ ଡିଗ୍ରୀ ଓ ଅନୁଗୋଳରେ ୩୬.୧ ଡିଗ୍ରୀ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଉଚ୍ଚ ଆର୍ଦ୍ରତା ଯୋଗୁଁ ଦିନରେ ତାପମାତ୍ରା ଅଧିକ ରହୁଛି । ଉପକୂଳ ଓଡ଼ିଶାରେ ପ୍ରବଳ ତାତି ସହ ଗୁଳଗୁଳି ଲାଗି ରହିଛି । ଏପରି ଗରମ ହେଉଛି ଯେ, ଲୋକେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ତେବେ ୪ ତାରିଖ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ଜାରି ରହିବ ବୋଲି ପାଣିାଗ ବିଭାଗ ସୂଚନା ଦେଇଛି ।
ଅନ୍ୟପକ୍ଷରେ ଗତ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପେଗ ବିଭାଗ ପକ୍ଷରୁ କୁହାଯାଇଛି । ୬ଟି ଜିଲ୍ଲାରେ ସ୍ୱାଭାବିକ ଭାବେ ଅଧିକ ବର୍ଷା ହୋଇଛି । ଅସମୟରେ ଏପରି ଗ୍ରୀଷ୍ମ ପ୍ରବାହକୁ ନେଇ ସାଧାରଣ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି ।
Powered by Froala Editor