ରାୟଗଡରେ ଲାଗିଲା ସନ୍ଦିଗ୍ଧ ଡଙ୍ଗା: ଭିତରେ ଥିଲା ଏକେ-୪୭ ରାଇଫଲ
ମହାରାଷ୍ଟ୍ରର ରାୟଗଡ ଜିଲାରେ ୨ଟି ସନ୍ଦିଗ୍ଧ ଡଙ୍ଗା ମିଳିଛି। ଡଙ୍ଗାରୁ ବହୁମାତ୍ରାରେ ଏକେ-୪୭ ରାଇଫଲ ଏବଂ କାର୍ଟ୍ରିଜ ମିଳିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରାୟଗଡ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ସଂପ୍ରତି ଏଟିଏସ ମାମଲାର ପ୍ରତିଟି ଦିଗରୁ ଯାଞ୍ଚ କରୁଛି। ସନ୍ଦିଗ୍ଧ ବୋଟ୍ କାହାର ଏହାକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଥିଲା। ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ସାମ୍ବାଦିକ ସମ୍ମିଳନୀ କରି ଘଟଣା ବିଷୟରେ ସୂଚନା ଦେଇଛନ୍ତି।
ଫଡଣବିସ୍ କହିଛନ୍ତି, ଏହି ବୋଟ୍ର ନାମ ଲେଡି ହାନ। ଏହାର ମାଲିକ ହେଉଛନ୍ତି ଅଷ୍ଟ୍ରେଲିଆର ମହିଳା। ତାଙ୍କ ସ୍ଵାମୀ ଏହି ବୋଟ୍ର କ୍ୟାପଟେନ୍। ବୋଟ୍ଟି ଓମାନର ରାଜଧାନୀ ମସ୍କଟରୁ ୟୁରୋପ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ୨୦୨୨ ଜୁନ ୨୬ରେ ବୋଟ୍ର ଇଞ୍ଜିନ ଖରାପ ହୋଇଥିଲା। ବୋଟ୍ରେ ଥିବା ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଆଲର୍ଟ ଜାରି କରିଥିଲେ। ଏହାର ସୂଚନା ପାଇ କୋରିଆର ନୌସେନା ସମସ୍ତଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ହାଇଟାଇଡ୍ କାରଣରୁ ବୋଟ୍କୁ ଉଦ୍ଧାର କରାଯାଇ ପାରିନଥିଲା। ବର୍ତ୍ତମାନ ବୋଟ୍ଟି ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାର ହରିହରେଶ୍ଵର ସମୁଦ୍ର କୂଳରେ ଆସି ଲାଗିଛି। ଏହି ସମୁଦ୍ର କୂଳ ମୁମ୍ବାଇଠୁ ୨୦୦ କିଲୋମିଟର ଏବଂ ପୁଣେଠୁ ୧୭୦ କିଲୋମିଟର ଦୂରରେ ଅବସ୍ଥିତ। ତେବେ ଏହି ବୋଟ୍ରେ ଅସ୍ତ୍ର ଶସ୍ତ୍ର କାହିଁକି ରଖାଯାଇଥିଲା। ଏହାର ତଦନ୍ତ ଜାରି ରହିଛି। ଡଙ୍ଗାରେ କିଏ ଆସିଛନ୍ତି ଏବଂ ସେମାନେ କେଉଁଠାରୁ ଆସିଛନ୍ତି ତାହାର ଅନୁସନ୍ଧାନରେ ସୁରକ୍ଷା ଏଜେନ୍ସି ନିୟୋଜିତ ଅଛନ୍ତି।
Powered by Froala Editor