ମଣିଷପଣିଆର ନିଦର୍ଶନ ପାଲଟିଲେ ମୁସଲିମ ଯୁବକ : ଶବ କାନ୍ଧେଇଲେ, କହିଲେ ‘ରାମ ନାମ ସତ୍ୟ ହେ’
ନାଁ ରହମତ ଅଲ୍ଲୀ । ମୁସଲିମ୍ ଯୁବକ । କିନ୍ତୁ ବିନା ଦ୍ୱିଧାରେ ଜଣେ ହିନ୍ଦୁଙ୍କ ମରଶରୀର କାନ୍ଧେଇଥିଲେ । ଆଉ ତୁଣ୍ଡରେ ବାରମ୍ବାର କହୁଥିଲେ “ରାମ ନାମ ସତ୍ୟ ହେ” । କରୋନା କାଳରେ ଯେଉଁଠି ନିଜ ଲୋକ ମୁହଁ ବୁଲାଇ ପଳାଉଛନ୍ତି ସେଠି ଏହି ଯୁବକ ଜଣକ ମଣିଷପଣିଆର ଉଦାହରଣ ଦେଇଛନ୍ତି । କିଏ କ’ଣ କହିବ, କିଏ କ’ଣ ଭାବିବ ସେ କଥାକୁ ପଛରେ ଆଡେଇ ଦେଇ ମଣିଷତ୍ୱର ଯେଉଁ ନିଦର୍ଶନ ଦେଇଛନ୍ତି ତାହା ସତରେ ପ୍ରଶଂସାଯୋଗ୍ୟ ।
ଘଟଣାଟି ସୁନ୍ଦରଗଡ ବନ୍ଧପାଲି ଅଞ୍ଚଳର । ସେଠାକାର ସନାତନ ପଟେଲ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ସୁନ୍ଦରଗ ଏନଟିପିସି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ତାଙ୍କ ମରଶରୀରକୁ ରାଣୀବଗିଚା ଶ୍ମଶାନକୁ ଅଣାଯାଇଥିଲା । ମୃତ ସନାତନଙ୍କ ସନ୍ତାନ କହିଲେ ଏକମାତ୍ର ଝିଅ ଇଂଲଣ୍ଡରେ ରହନ୍ତି। ତେଣୁ ସନାତନଙ୍କ ବଡ଼ଭାଇ ଚୁଡ଼ାମଣି ପଟେଲଙ୍କ ପୁଅ ମଶାଣିକୁ ଆସିଥିଲେ। ସଙ୍ଗରେ ଆସିଥିଲେ ରିଜେଣ୍ଟ ମାର୍କେଟର ରହମତ ଅଲ୍ଲୀ ନାମକ ଜଣେ ଯୁବକ। ମୃତକଙ୍କ ସହ ଥିଲା ତାଙ୍କ ବହୁଦିନର ସମ୍ପର୍କ। ଶନିବାର ସକାଳେ ସନାତନ କରୋନା ସଂକ୍ରମଣରେ ଅସୁସ୍ଥ ହେବା ପରେ ତାଙ୍କୁ କୋଭିଡ୍ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଅସୁସ୍ଥ ପରଠାରୁ ହସ୍ପିଟାଲରେ ଥିବା ରହମତ ଅଲ୍ଲୀ ଶବ ସହ ମଶାଣିକୁ ଆସିଥିଲେ।
କୋଭିଡ ଗାଇଡଲାଇନରେ ସେଠାରେ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିଲା । ଆଉ ସେହି ସମୟରେ ମୃତ ସନାତନ ପଟେଲଙ୍କ ବନ୍ଧୁ ରହମତ ଅଲ୍ଲୀ ଶ୍ମଶାନ ବନ୍ଧୁଙ୍କୁ ଅନୁରୋଧ କରିଥିଲେ । କହିଥିଲେ, ମୁଁ ଶବ ସଂସ୍କାରରେ ସାମିଲହେବି । ରହମତ ଅଲ୍ଲୀଙ୍କ ଏପରି ଅନୁରୋଧକୁ ଖଣ୍ଡନ କରିପାରିଲେ ନାହିଁ 4 ଶ୍ମଶାନବନ୍ଧୁ । ତାଙ୍କ କଥାରେ ଏମାନେ ରାଜିହେଲେ ।
ନିୟମ ବହିର୍ଭୁତ ହୋଇଥିଲେ ମଧ୍ୟ ରହମତଙ୍କୁ ଶବ ସଂସ୍କାରରେ ସାମିଲ ହେବାକୁ ଅନୁମତି ଦେଇଥିଲେ । ଆଉ ତାପରେ ହିନ୍ଦୁ ରୀତିନୀତିରେ ହୋଇଥିଲା ସନାତନ ପଟେଲଙ୍କର ଶବସଂସ୍କାର । ଜଣେ ହିନ୍ଦୁଙ୍କ ପରି ରହମତ ମୃତଦେହକୁ କାନ୍ଧଦେଇଥିଲେ ଓ କହିଥିଲେ ରାମ ରାମ ସତ୍ୟ ହେ… ।
Powered by Froala Editor