କେମିତି ରଖିବେ ନିଜ ପିଲାଙ୍କୁ ଫିଟ୍ , ଜାଣିରଖନ୍ତୁ
ଅନେକ ଅଭିଭାବକଙ୍କୁ ନିଜ ପିଲା ମୋଟୋ ହେଲେ ଭାରି ଖୁସି ଲାଗେ। ପିଲାଟି କେଡେ ଗୁଲୁଗୁଲିଆ ହୋଇଛି ବୋଲି କେହି କହିଲେ ଆନନ୍ଦର ସୀମା ରହେନି। ଆଉ ଯଦି କେହି ପିଲାର ଓଜନ କମାନ୍ତୁ କୁହନ୍ତି, ତେବେ ରାଗରେ ନିଆଁ ହୋଇଯିବା ସହ ଘରକୁ ଆଣି ପିଲାର ନଜର ଉତାରିବାକୁ ବି ପଛାନ୍ତି ନାହିଁ। ହେଲେ ପିଲା ସୁସ୍ଥ ରହିବା ଲାଗି ଯେ, ମେଦବହୁଳତା ନୁହେଁ ବରଂ ସ୍ଲିମ୍ ଫିଟ୍ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ- ଏଦିଗରେ ଅଭିଭାବକ ସଚେତନ ହେବା ଆବଶ୍ୟକ….
ସନ୍ତୁଳିତ ଖାଦ୍ୟାଭ୍ୟାସ କରାନ୍ତୁ: ପିଲାଙ୍କୁ ଫିଟ୍ ରଖିବା ଲାଗି ସେମାନଙ୍କୁ ସନ୍ତୁଳିତ ଖାଦ୍ୟାଭ୍ୟାସ କରାନ୍ତୁ। କାରଣ ବର୍ତ୍ତମାନ ଅନେକ ପିଲାଙ୍କଠାରେ ମେଦବହୁଳତା ଦେଖାଦେବାର ସବୁଠାରୁ ବଡ଼ କାରଣ ହେଉଛି ସେମାନଙ୍କର ଅସନ୍ତୁଳିତ ଖାଦ୍ୟାଭ୍ୟାସ। ସେମାନେ ଘରୋଇ ଖାଦ୍ୟ ବଦଳରେ ମାର୍କେଟ୍ରେ ମିଳୁଥିବା ଫାଷ୍ଟଫୁଡ୍, ଫ୍ରୋଜେନ୍ ଫୁଡ୍, ରେଡି ଟୁ ଇଟ୍ ଜାତୀୟ ଖାଦ୍ୟ ପ୍ରତି ଆଗ୍ରହୀ ହେଉଛନ୍ତି। ତା’ଛଡ଼ା ଅନେକ ଅଭିଭାବକ ପିଲା ଖୁସି ହେଉଥିବାରୁ ହେଉ ଅବା ସହଜରେ ଉପଲବ୍ଧ ହେଉଥିବାରୁ ଏଭଳି ଖାଦ୍ୟ ପିଲାଙ୍କୁ ସବୁବେଳେ ଦେଉଛନ୍ତି। ହେଲେ ଏଥିରେ ଥିବା ତେଲ, ମସଲା, ରଙ୍ଗ, ମଇଦା ଇତ୍ୟାଦି ଯୋଗୁ ସେମାନଙ୍କ ଶରୀରରେ ଚର୍ବି ପରିମାଣ ବଢୁଛି। ଫଳରେ ଅଳ୍ପ ବୟସରୁ ମେଦବହୁଳତା ପାଇଁ କେତେକଙ୍କଠାରେ ଡାଇବେଟିସ୍ ଏବଂ ହୃଦ୍ରୋଗ ଭଳି ସମସ୍ୟା ସୃଷ୍ଟି କରୁଛି। ତେଣୁ ପିଲାଙ୍କୁ ଏଭଳି ଖାଦ୍ୟ ଯଥା ସମ୍ଭବ କମ୍ ଦିଅନ୍ତୁ।
ନିୟନ୍ତ୍ରଣରେ ରଖନ୍ତୁ ମିଠା: ମିଠା ଜାତୀୟ ଖାଦ୍ୟ ବିଶେଷକରି ଚକ୍ଲେଟ୍, ଆଇସ୍କ୍ରିମ୍, କେକ୍ ଏବଂ ବିଭିନ୍ନ ମିଠା ପିଲାଙ୍କୁ ଖୁବ୍ ଭଲ ଲାଗିଥାଏ। ଏମିତିକି ଜଳଖିଆରେ ସୁଜି, ସିମେଇ ଏବଂ ଗାଜର ହାଲୁଆ ଭଳି ମିଠା ଖାଦ୍ୟ ପିଲା ଖୁସିରେ ଖାଉଥିବାରୁ ଅଧିକାଂଶ ଅଭିଭାବକ ପିଲାଙ୍କୁ ଏଭଳି ଖାଦ୍ୟ ଦେଇଥାନ୍ତି। ହେଲେ ଆପଣ ଜାଣନ୍ତିକି, ପ୍ରତିଦିନ ଏଭଳି ଖାଦ୍ୟ ଖାଇଲେ ଏହା ଧୀରେ ଧୀରେ ପିଲାଙ୍କଠାରେ ମେଦବହୁଳତାର କାରଣ ସାଜିଥାଏ। ବିଶେଷକରି ମୋଟା ବା ଅଧିକ ଓଜନ ଥିବା ପିଲାଙ୍କୁ ଏଭଳି ଖାଦ୍ୟ କମ୍ ଦେବା ଭଲ।
ଠିକ୍ ରଖନ୍ତୁ ମର୍ନିଂ ରୁଟିନ୍: ପିଲାଙ୍କୁ ସକାଳୁ ଉଠାଇ ନିତ୍ୟକର୍ମ ଯଥା ସମୟରେ ସାରି ଖାଇବାର ଅଭ୍ୟାସ କରାନ୍ତୁ। କାରଣ ସକାଳେ ଅଧିକ ସମୟ ଶୋଇବା ଏବଂ ଜଳଖିଆ ନ ଖାଇବାର ବଦଭ୍ୟାସ ମଧ୍ୟ ଅନେକ ପିଲାଙ୍କର ରହିଛି। ହେଲେ ସକାଳର ଜଳଖିଆ ମିସ୍ କଲେ ସାରା ଦିନ ଶରୀରକୁ ଏନର୍ଜେଟିକ୍ ଲାଗି ନ ଥାଏ। କେବଳ ଏତିକି ନୁହେଁ , ଏହାଦ୍ୱାରା ଭୋକ ଅଧିକ ହେବା କାରଣରୁ ମଧ୍ୟାହ୍ନଭୋଜନରେ ଆବଶ୍ୟକରୁ ଅଧିକ ଖାଇବା କାରଣରୁ ମଧ୍ୟ ପରବର୍ତ୍ତୀ ସମୟରେ ମେଦବହୁଳତାର କାରଣ ପାଲଟେ। ତେଣୁ ଫିଟ୍ ରହିବା ଲାଗି ପିଲାଙ୍କୁ ସକାଳ ଜଳଖିଆ ଖାଇବାକୁ ଦିଅନ୍ତୁ।
ଦେଖାନ୍ତୁନି ଟିଭି, ମୋବାଇଲ: ଖାଇବା ସମୟରେ ଟିଭି, ମୋବାଇଲ ଆଦି ଦେଖିବା ଅନେକ ପିଲାଙ୍କର ଏକ ନିଶା। ହେଲେ ଏହାଦ୍ୱାରା ଅଜାଣତରେ ଆବଶ୍ୟକରୁ ଖାଇ ହୋଇଯାଏ। କେହି କେହି ଟିଭି ଦେଖିବା ବେଳେ ଚିପ୍ସ, କୁର୍କୁରେ ଭଳି ବିଭିନ୍ନ ଚଟ୍ପଟା ଖାଦ୍ୟ ମଧ୍ୟ ଖାଇବାକୁ ପସନ୍ଦ କରନ୍ତି। ତେବେ ଏସବୁ ଅଭ୍ୟାସ ଯୋଗୁ ଶରୀରକୁ ଅଧିକ ପରିମାଣରେ କ୍ୟାଲୋରି ଚାଲିଯାଏ, ଯାହାକି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ତେଣୁ ଏଥିପ୍ରତି ଅଭିଭାବକମାନେ ବିଶେଷ ଭାବେ ଧ୍ୟାନଦେବା ଆବଶ୍ୟକ।
କରାନ୍ତୁ ଯୋଗ, ବ୍ୟାୟାମ: ଯେହେତୁ ବର୍ତ୍ତମାନ ସମୟରେ ଅଧିକାଂଶ ପିଲାଙ୍କୁ ଆଉଟଡୋର ଖେଳିବାର ସୁଯୋଗ ମିଳୁନି, ତେଣୁ ସେମାନଙ୍କ ଠାରେ ଶାରୀରକ ବ୍ୟାୟାମ ଖୁବ୍ କମ୍ ହେଉଛି। ଫଳ ସ୍ବରୂପ ମେଦବହୁଳତା ଏବଂ ଅନ୍ୟାନ୍ୟ ସମସ୍ୟା ଉପୁଜୁଛି। ଏସବୁ ଠାରୁ ଦୂରେଇ ରହି ପିଲା ଫିଟ୍ ରହିବା ଲାଗି ତାଙ୍କୁ ପ୍ରତିଦିନ ଯୋଗ, ବ୍ୟାୟାମ ଆଦି କରିବାକୁ ପରାମର୍ଶ ଦିଅନ୍ତୁ।
Powered by Froala Editor