ସ୍ୱରା ଭାସ୍କରଙ୍କୁ ହତ୍ୟା ଧମକ ଚିଠି
ସ୍ପିଡ୍ ପୋଷ୍ଟ ମାଧ୍ୟମରେ ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ହତ୍ୟା ଧମକ ମିଳିଛି। ମୁମ୍ବାଇ ବର୍ସୋଭାରୁ ଏହି ଧମକପୂର୍ଣ୍ଣ ଚିଠି ଆସିଛି। ଘଟଣାରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପିଟିଆଇରେ ଏନେଇ ଖବର ପ୍ରକାଶ ପାଇଛି।
ଚିଠିରେ ଲେଖାଯାଇଛି ଯେ ଦେଶର ଯୁବପିଢ଼ି କେବେ ହେଲେ ବୀର ସବରକରଙ୍କ ଅପମାନକୁ ସହ୍ୟ କରିପାରିବେ ନାହିଁ। ସ୍ୱରା ସବରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା କରାଯିବାକୁ ଏହି ଚିଠିରେ ଧମକ ମିଳିଛି। ଚିଠିରେ କୁହାଯାଇଛି ଯେ ସ୍ୱରା ଭାସ୍କର ବୀର ସବରକରଙ୍କୁ ଅପମାନିତ କରିବା ବନ୍ଦ କରୁନ୍ତୁ ଓ କେବଳ ନିଜ ଫିଲ୍ମ ଉପରେ ଧ୍ୟାନ ଦିଅନ୍ତୁ। ଚିଠି ପଠାଇଥିବା ଲୋକ ନିଜ ନାଁ ଲେଖିନି। ହେଲେ ସେ ନିଜକୁ ଦେଶର ଜଣେ ଯୁବକ ଭାବେ ଚିଠିରେ କହିଛି। ସେ ସ୍ୱରାଙ୍କ ଉଦ୍ଦେଶ୍ୟରେ ଆହୁରି କହିଛି ଯେ “ନିଜର ଭାଷାର ମର୍ଯ୍ୟାଦା ରଖନ୍ତୁ। ବୀର ସବରକରଙ୍କ ଅପମାନ ସହ୍ୟ କରାଯିବନି। ବେଶ ଆରାମରେ ଫିଲ୍ମ ତିଆରି କର। ନହେଲେ ଶବ ଉଠିବ।”
ଚିଠି ମିଳିବା ପରେ ସ୍ୱରା ଦୁଇ ଦିନ ତଳେ ଭରସୋଭା ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ। ଚିଠିକୁ ସେ ପୁଲିସ୍କୁ ଦେବା ସହ ବିଧିବଦ୍ଧ ଭାବେ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗକୁ ଆଧାର କରି ଅଜଣା ଦୁର୍ବୃତ୍ତ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି।
Powered by Froala Editor