ହେଲିକପ୍ଟର ଦୁର୍ଘଟଣା ଘଟଣା : ମୃତକଙ୍କ ମଧ୍ୟରେ ଓଡିଆ ପୁଅ
ମାଲକାନଗିରି: ଆରବସାଗରରେ ଓଏନଜିସି ହେଲିକପ୍ଟର ଦୁର୍ଘଟଣା ଘଟଣା । ମୃତକଙ୍କ ମଧ୍ୟରେ ରହିଛନ୍ତି ମାଲକାନଗିରିର ଓଡିଆ ପୁଅ ସତ୍ୟମ୍ବଦ ପାତ୍ର । ଗତକାଲି ଓଏନଜିସିର ହେଲିକପ୍ଟର ଜରୁରୀ ଅବତରଣ ସମୟରେ ଆରବସାଗରରେ ଖସିପଡିଥିଲା । ହେଲିକପ୍ଟରରେ ୭ ଜଣ ଓଏନଜିସି କର୍ମଚାରୀ ଏବଂ ଦୁଇ ଜଣ ପାଇଲଟ ରହିଥିବା ବେଳେ ୩ ଜଣ ଓଏନଜିସି କର୍ମଚାରୀଙ୍କ ସମେତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଫ୍ଲୋଟର ସାହାଯ୍ୟରେ ହେଲିକପ୍ଟରରୁ ପାଇଲଟ ଓ ଓଏନଜିସି କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଚାରିଜଣ ସଂଜ୍ଞାହୀନ ଥିଲେ ।ଏହାପରେ ୪ ଜଣଙ୍କୁ ନୌସେନାର ହେଲିକପ୍ଟର ଯୋଗେ ମୁମ୍ବାଇର ଏକ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକମାନେ ହେଲେ ମୁକେଶ ପଟେଲ, ବିଜୟ ମାଣ୍ଡେଲୋଇ, ସତ୍ୟମ୍ବଦ ପାତ୍ର ଓ କଣ୍ଟ୍ରାକ୍ଟ କର୍ମଚାରୀ ସଞ୍ଜୁ ଫ୍ରାନ୍ସିସ୍ । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।ସୂଚନାଅନୁସାରେ, ମାଲକାନଗିରିର ସୁରେଶ ଚନ୍ଦ୍ରଙ୍କ ପୁଅ ଥିଲେ ସତ୍ୟମ୍ବଦ ପାତ୍ର । ସତ୍ୟମ୍ବଦଙ୍କ ମୃତ୍ୟୁପରେ ମାଆ ବାପା ଦୁଃଖରେ ଭାଙ୍ଗି ପଡିଥିବା ବେଳେ ମାଲକାନଗିରିରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor