ଦଶମ ପରୀକ୍ଷାରେ ବାପା ପାସ୍, ପୁଅ ଫେଲ୍
ମହାରାଷ୍ଟ୍ର ପୁଣେର ଜଣେ ୪୩ ବର୍ଷୀୟ ବ୍ୟକ୍ତି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପାସ୍ କରିବାରୁ ପରିବାରରେ ଖୁସିର ଲହରି ଖେଳି ଯାଇଛି। ହେଲେ ଏହି ଖୁସି ଅଧିକ ସମୟ ରହି ନାହିଁ। କାରଣ ପୁଅ ପରୀକ୍ଷାରେ ଫେଲ୍ ହେବା ଖବରରେ ପରିବାରରେ ଦୁଃଖର ମାହୋଲ ଖେଳି ଯାଇଛି। ମହାରାଷ୍ଟ୍ର ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।
ଚଳିତ ବର୍ଷ ଜୁନ୍ ୧୭ରେ ମହାରାଷ୍ଟ୍ର ବୋର୍ଡ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ(MSBSHSE) ପକ୍ଷରୁ ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା ହୋଇସାରିଛି । ରାଜ୍ୟରେ ୯୬.୯୪% ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି । କିନ୍ତୁ ପୁଣେରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ବାପା ଓ ପୁଅ ଚଳିତ ବର୍ଷ ଏକାଠି ଦଶମ ପରୀକ୍ଷା ଦେଇଥିଲେ। ଏଥିରେ ବାପା ଭଲ ମାର୍କରେ ପାସ୍ ହୋଇଥିବା ବେଳେ ପୁଅ କିନ୍ତୁ ୨ଟି ବଷୟରେ ଫେଲ୍ ହୋଇଯାଇଛି।
ବ୍ୟକ୍ତିଙ୍କ ନାମ ହେଉଛି ଭାସ୍କର ବାଘମରେ। ସେ ସପ୍ତମ ଶ୍ରେଣୀ ଯାଏଁ ପଢିଥିଲେ। ପରିବାରର ଭରଣପୋଷଣ ପାଇଁ ସେ ପାଠକୁ ଅଧାରେ ଛାଡି କାମଧନ୍ଦା କରିଥିଲେ। ପ୍ରାୟ ୩୦ ବର୍ଷ ପରେ ସେ ଦଶମ ଶ୍ରେଣୀ ପରୀକ୍ଷା ଦେଇ କୃତକାର୍ଯ୍ୟ ହାସଲ କରିଛନ୍ତି। ହେଲେ ପୁଅ ମ୍ୟାଟ୍ରିକ ପରୀକ୍ଷାରେ ଫେଲ୍ ହୋଇଛି। ଭାସ୍କର ହେଉଛନ୍ତି ପୁଣେ ସହରରେ ବାବାସାହେବ ଆମ୍ବେଦକର ଡାୟସ ପ୍ଲାଟର ନିବାସୀ।
ଭାସ୍କର କହିଛନ୍ତି, ସେ ସର୍ବଦା ପଢିବାକୁ ଚାହୁଁଥିଲେ। ମାତ୍ର ପରିବାରର ଦାୟିତ୍ଵ ଏବଂ ଜୀବିକା କାରଣରୁ ସେ ପଢି ପାରିନଥିଲେ। ହେଲେ କିଛି ସମୟ ପୂର୍ବେ ସେ ପଢିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅଧିକ ପଢିଲେ ତାଙ୍କ ଆୟ ବୃଦ୍ଧିରେ ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି। ତେଣୁ ସେ ଚଳିତ ବର୍ଷ ଦଶମ ବୋର୍ପ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପୁଅ ମଧ୍ୟ ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଥିଲା। ସେ ପ୍ରତିଦିନ ପଢୁଥିଲେ ଏବଂ କାମ ପରେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ବାଘମରେ କହିଛନ୍ତି, ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଖୁସି। କିନ୍ତୁ ଏହାକୁ ନେଇ ଦୁଃଖିତ ଯେ ପୁଅ ଫେଲ୍ ହୋଇଛି।
Powered by Froala Editor