ଗୁରୁଦ୍ୱାରରେ ଲଗାତାର ବ୍ଲାଷ୍ଟିଂ, ସୁରକ୍ଷାକର୍ମୀ ମୃତ
ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ଏକ ଗୁରୁଦ୍ୱାରରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ୫ଜଣ ଆହତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ପ୍ରାର୍ଥନା ନିମନ୍ତେ ଗୁରୁଦ୍ୱାରକୁ ୩୦ରୁ ଊର୍ଦ୍ଧ୍ୱ ଲୋକ ଯାଇଥିବା ବେଳେ ଏହି ବିସ୍ଫୋରଣ ହୋଇଛି। କିଛି ଆତଙ୍କବାଦୀ ଭିତରେ ଲୁଚି ରହିଥିବା ବେଳେ ଭିତରୁ ଫାୟାରିଂ ଶବ୍ଦ ଶୁଣିବାକୁ ମିଳୁଛି। ଏହାପଛରେ ଆଇଏସ୍ଆଇଏସ୍ ହାତ ଥିବା ଜଣାପଡ଼ିଛି।
ଗୁରୁଦ୍ବାର ଦଶମେଶ ପିଟା ଗୁରୁ ଗୋବିନ୍ଦ ସିଂହ କାର୍ତେ ପର୍ୱାନ୍ର ଅଧ୍ୟକ୍ଷ ଗୁରନାମ ସିଂହ କହିଛନ୍ତି, ଆକ୍ରମଣ ସମୟରେ ଶିଖ୍ ସମ୍ପ୍ରଦାୟର ଅନ୍ୟୂନ ୨୦/୨୫ଜଣ ବ୍ୟକ୍ତି ଗୁରୁଦ୍ବାରରେ ଥିଲେ। ଭାରତୀୟ ସମୟ ସକାଳ ୮.୩୦ରେ ଆକ୍ରମଣ ଆରମ୍ଭ ହୋଇଥିଲା। ୩ଜଣ ବ୍ୟକ୍ତି ଗୁରୁଦ୍ବାର ଭିତରୁ ବାହାରି ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଡାକ୍ତରଖାନାକୁ ପଠାଯାଇଛି। ଗୁରୁଦ୍ବାରର ସୁରକ୍ଷାକର୍ମୀ ଗୁଳିଚୋଟରେ ନିହତ ହୋଇଛନ୍ତି। ୩ଜଣ ତାଲିବାନ୍ ସୈନିକ ମଧ୍ୟ ଆହତ ହୋଇଛନ୍ତି।
ତାଲିବାନ ସୈନିକ ଗୁରୁଦ୍ୱାରକୁ ଚତୁଃପାର୍ଶ୍ୱରୁ ଘେରି ରହିଛନ୍ତି । ଏଠାରେ ଲଗାତର ଭାବେ ୫ରୁ ୭ଟି ବ୍ଲାଷ୍ଟ ହୋଇ ସାରିଥିବା ବେଳେ ଗୁରୁଦ୍ୱାର ଚତୁଃପାର୍ଶ୍ୱରେ ନିଆଁ ଲାଗି ଯାଇଛି।
Powered by Froala Editor