ବିହାରରେ ଉଗ୍ର ରୂପ ଧାରଣ କରିଛି ଅଗ୍ନିପଥ ଯୋଜନା, ୨୨ ଟ୍ରେନ ବାତିଲ
ପାଟଣା: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ତେଜିବାରେ ଲାଗିଛି ଅସନ୍ତୋଷ । ସେନାରେ ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନାକୁ ବିହାର ଓ ଅନ୍ୟ କିଛି ରାଜ୍ୟରେ ଜୋରଦାର ବିରୋଧ କରାଯାଇଛି । ବିହାରରେ ବିରୋଧ ଉଗ୍ର ରୂପ ଧାରଣ କରିଛି । ରାଜ୍ୟର ଅଧା ଜିଲ୍ଲାରେ ବ୍ୟାପକ ପୋଡାଜଳା, ଭଙ୍ଗାରୁଜା ଦେଖିବାକୁ ମିଳିଛି । ଟ୍ରେନ ଓ ରେଳ ଷ୍ଟେସନକୁ ଟାର୍ଗେଟ କରିଛନ୍ତି ବିକ୍ଷୋଭକାରୀ । ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀକୁ ବି ବ୍ୟାପିଛି ଅଗ୍ନିପଥ ବିରୋଧୀ ଅସନ୍ତୋଷର ନିଆଁ । ବିକ୍ଷୋଭ ଯୋଗୁଁ ବିହାରରେ ୨୨ଟି ଟ୍ରେନର ଚଳାଚଳ ବାତିଲ କରିଦିଆଯାଇଛି ।
ବିହାରରେ ରାସ୍ତାକୁ ଓହ୍ଲାଇଛନ୍ତି ସେନାରେ ବର୍ତ୍ତି ହେବାକୁ ଆଶାୟୀ ଯୁବଗୋଷ୍ଠୀ । ବ୍ୟାପକ ପୋଡାଜଳା, ଭଙ୍ଗାରୁଜା ଓ ଟ୍ରେନ ପୋଡି । ପୋଲିସ ସହ ସଂଘର୍ଷ । ଦେଖିବାକୁମ ମିଳିଛି ଅସନ୍ତୋଷର ଭୟାବହ ପରିଣାମ । ଯୋଜନା ବିରୋଧରେ ଚରମ ଅସନ୍ତୋଷ । ଆରା, ଛାପ୍ରା ଜେହାନାବାଦ, ନଓ୍ବାଡା, ସହର୍ସା ଭଳି ଜିଲ୍ଲାରେ ଉଗ୍ର ରୂପ ନେଇଛି ଅଗ୍ନିପଥ ବିରୋଧରେ ପ୍ରତିବାଦ । ଅନେକ ସ୍ଥାନରେ ପୋଲିସ ସହ ଘଟିଛି ବିକ୍ଷୋଭକାରୀଙ୍କ ରକ୍ତାକ୍ତ ସଂଘର୍ଷ । ଅଣାୟତ୍ତ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସକୁ ଫାଙ୍କା ଗୁଳିଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଛି । ରେଳରୋକ ଯୋଗୁଁ କିଛି ଜିଲ୍ଲାରେ ବ୍ୟାହତ ହୋଇଛି ରେଳ ଚଳାଚଳ ।
ବିହାରରେ ଅଗ୍ନିପଥ ଆନ୍ଦୋଳନ ବ୍ୟାପିଥିବା ବେଳେ ରାଜସ୍ଥାନ ଓ ହରିୟାଣାରେ ମଧ୍ୟ ଯୁବଗୋଷ୍ଠୀ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀଙ୍କ ସହ ପୋଲିସର ସଂଘର୍ଷ ହୋଇଛି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ତ୍ରୁଟିପୂର୍ଣ୍ଣ ବୋଲି ବୋଲି ମତ ରଖିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।
Powered by Froala Editor