ଇଭିଏମ୍ ଟାମ୍ପରିଂ କରାଯାଇଛି:ରାଧାରାଣୀ
ମୁଁ ଏହି ଜନାଦେଶକୁ ଗ୍ରହଣ କରୁ ନାହିଁ
ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନରେ ଫଳ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ରାଧାରାଣୀ କହିଛନ୍ତି ଯେ, ଏହା ଜନାଦେଶ ନୁହେଁ ଯନ୍ତ୍ରାଦେଶ । ଇଭିଏମ୍ ଟାମ୍ପରିଂ କରାଯାଇଛି । ମୁଁ ଏହି ଜନାଦେଶକୁ ଗ୍ରହଣ କରୁ ନାହିଁ । ଏହା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଜନାଦେଶ ନୁହେଁ । କେହି ଏହାକୁ ଗ୍ରହଣ କରିପାରୁ ନାହାନ୍ତି । ଲୋକେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଭୋଟ୍ ଦେଇଛନ୍ତି ।
ବିଜୁ ଜନତା ଦଳ ଶାସନରେ ଥିବାରୁ ଏ ନିର୍ବାଚନ ଜିତିବାକୁ ନିଜର ଅର୍ଥ ବଳ, ବାହୁ ବଳ ଓ ପ୍ରଶାସନିକ କଳକୁ ଲଗାଇ ଦେଇଥିଲା । କିନ୍ତୁ ସେମାନେ ପରାସ୍ତ ହେବେ ବୋଲି ଜାଣିବାକୁ ପାଇ ବିଚଳିତ ହାଇଯାଇଥିଲେ । ଏଣୁ ସେମାନେ ଇଭିଏମ୍ ଟାମ୍ପରିଂ କରିବାକୁ ଯୋଜନା କରୁଥିବା ଆମେ ଶୁଣିଥିଲୁ । କିନ୍ତୁ ଆଜି ତାହା ପ୍ରମାଣିତ ହୋଇଗଲା । ତେବେ ଭାରତୀୟ ଜନତା ପାର୍ଟି ବ୍ରଜରାଜନଗରରେ କେବେ ବି ମାତ୍ର ୨୨ ହଜାର ଭୋଟ୍ ପାଇବ ନାହିଁ ।
ସ୍ୱାଧୀନ ପ୍ରାର୍ଥୀ ହିସାବରେ ମୁଁ ନିଜେ ୨୦-୨୨ ହଜାର ଭୋଟ୍ ଆଣୁଥିଲି। ଦଳକୁ ୫୦-୬୦ ହଜାର ଭୋଟ୍ ନିଶ୍ଚିତ ଆସିବା କଥା। ପୂର୍ବରୁ ପ୍ରଭାବଶାଳୀ ନେତା ଦିବଙ୍ଗତ ପ୍ରସନ୍ନ ପଣ୍ଡା ହୁଅନ୍ତୁ ବା କେଶବ ସାହୁ ହୁଅନ୍ତୁ, ଅଳକା ମହାନ୍ତି ତ ସେମାନଙ୍କଠାରୁ ବହୁତ ଭୋଟ୍ ପାଇଛନ୍ତି । ତାଙ୍କ ସ୍ୱାମୀ କିଶୋର ମହାନ୍ତିଙ୍କଠାରୁ ବି ସେ ଟପିଗଲେ। ଏସବୁର ମାନେ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଭୋଟ୍ ଟାମ୍ପରିଂ ନିଶ୍ଚିତ ଭାବରେ ହୋଇଛି ପ୍ରମାଣିତ କରୁଛି ବୋଲି ରାଧାରାଣୀ ଯୁକ୍ତି ବାଢିଛନ୍ତି ।
Powered by Froala Editor