ପ୍ରକଳ୍ପକୁ ନେଇ କୌଣସି ରାଜନୀତି ହେବା ମଧ୍ୟ ଉଚିତ୍ ନୁହେଁ : ଶଙ୍କରାଚାର୍ୟ୍ୟ

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ନେଇ ଶଙ୍କରାଚାର୍ୟ୍ୟଙ୍କ ସହ ଦୁଇ ଘଣ୍ଟା ଧରି ଆଲୋଚନା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଜଗଦଗୁରୁ ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଚାଲିଥିବା ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ବୁଲି ଦେଖିବା ସହ ପ୍ରତିକ୍ରିୟା ରଖିଥିଲେ। ବୈଠକ ପରେ ଶଙ୍କରାଚାର୍ୟ୍ୟଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଏଏସଆଇର କୌଣସି ଅଧିକାରୀ ମୋ’ ସହ ଆଲୋଚନା କରିନାହାନ୍ତି। ଯାତ୍ରୀ ପରିକ୍ରମା ସମ୍ପର୍କରେ ଗଜପତି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିସ୍ତୃତ ଭାବେ ପ୍ରକଳ୍ପ ସଂପର୍କରେ ବୁଝାଇଛନ୍ତି।
ବିଶେଷଜ୍ଞଙ୍କ ଦ୍ବାରା କାମ ଚାଲିଥିବା ବେଳେ କାମ ଜାରୀ ରହିବା ଆବଶ୍ୟକ। ବିକାଶ କାର୍ୟ୍ୟରେ କେହି ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ। ପ୍ରକଳ୍ପକୁ ନେଇ କୌଣସି ରାଜନୀତି ହେବା ମଧ୍ୟ ଉଚିତ୍ ନୁହେଁ। ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀ ଉଭୟ ମିଶି ଆଲୋଚନା କଲେ ସମସ୍ୟା ସମାଧାନ ହୋଇପାରିବ।କେହି ବିକାଶ କାର୍ୟ୍ୟ ବିରୋଧୀ ହେବା ଉଚିତ୍ ନୁହେଁ। ବିବାଦ ସମାଧାନ ହୋଇଗଲେ ହାଇକୋର୍ଟ ମଧ୍ୟ ହସ୍ତକ୍ଷେପ କରିପାରିବେ ନାହିଁ। ଶାସ୍ତ୍ର ଆଧାରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବିକାଶ କାର୍ୟ୍ୟ କରାଯାଉ। ପ୍ରୋଜେକ୍ଟର ମାଧ୍ୟମରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଓ ଡିଜାଇନ୍ ସମ୍ପର୍କରେ ବୁଝାଯାଇଛି। ଆଲୋଚନା ପରେ ଗଜପତିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଶଙ୍କରାଚାର୍ୟ୍ୟଙ୍କ ସହ ବିସ୍ତୃତ ଆଲୋଚନା କରି ଅବଗତ କରାଯାଇଛି।
Powered by Froala Editor