ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

କେନ୍ଦୁଝର ବନଖଣ୍ଡ ତେଲକୋଇ ବାନାଞ୍ଚଳ ବନବିହାରୀ ପୁର ଗ୍ରାମ ସାନ ନାଳ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଖୁଣ୍ଟାପଡ଼ା ପଂଚାୟତ କୁଲାଡେରା ମହ୍ଲାର ସାହିର ସ୍ବର୍ଗତ ଭଦ୍ର ଦେହୁରୀଙ୍କ ପତ୍ନି ଜହ୍ନି ଦେହୁରୀ ଓରଫ ଛୁଟି (୬୨) ।
ଶନିବାର ସନ୍ଧ୍ୟାରେ ଜହ୍ନି ଓ ଅନ୍ୟଜଣେ ବୃଦ୍ଧା ବନବିହାରୀ ପୁର ଗ୍ରାମରେ ଥିବା ଏକ ଦୋକାନରୁ ସଉଦା କିଣି କୁଲଡେରା ସ୍ଥିତ ଘରକୁ ଫେରୁଥିଲେ । ଯିବା ବେଳେ ସାନ ନାଳ ନିକଟରେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ଅନ୍ୟ ବୃଦ୍ଧା ଜଣଙ୍କ ଦୌଡ଼ି ପଳାଇ ଯାଇଥିବା ବେଳେ ଜହ୍ନି ସାମାନ୍ୟ ଭିନ୍ନକ୍ଷମ ହୋଇଥିବାରୁ ହାତୀ ମୁହଁରେ ପଡ଼ି ଯାଇଥିଲେ । ହାତୀଟି ଜହ୍ନିଙ୍କୁ କଚାଡି ଦେଇଥିଲା । ଫଳରେ ବୃଦ୍ଧାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।
ଅନ୍ୟ ବୃଦ୍ଧା ଜଣଙ୍କ ରାତିରେ ଘରେ ପହଞ୍ଚି ଥିବା ବେଳେ ଘଟଣା ସମ୍ବନ୍ଧରେ ସାହି ଲୋକଙ୍କୁ କହିଥିଲେ । ଆଜି ଭୋରୁ ସ୍ଥାନୀୟ ଲୋକେ ଉକ୍ତ ଅଞ୍ଚଳକୁ କାଜୁ ତୋଳିବାକୁ ଯାଉଥିବା ବେଳେ ରାସ୍ତା ଉପରେ ଜଣେ ବୃଦ୍ଧାଙ୍କ ମୃତ ଦେହ ପଡ଼ିଥିବା ଦେଖିଥିଲେ । ଖବର ପାଇ ବନ ବିଭାଗ କର୍ମଚାରି ଘଟଣାସ୍ଥଳରେ ପହଞ୍ଚିବା ସହିତ ପୁଲିସ୍ ସହାୟତାରେ ମୃତଦେହକୁ ଉଦ୍ଧାର କରିଛନ୍ତି ।
ଅନ୍ୟପଟେ ବୃଦ୍ଧାଙ୍କ ପରିବାର ଲୋକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ତେଲକୋଇ ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି । ତୁରନ୍ତ ଉକ୍ତ ପରିବାରକୁ କ୍ଷତି ପୁରଣ ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ଲୋକେ ଦାବୀ କରିଛନ୍ତି ।
Powered by Froala Editor