ଆପଣ କୋଭାକ୍ସିନ୍ ନେଇଛନ୍ତି କି? ହୁ ଦେଲା ଏହି ଚେନାବନୀ
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କରୋନା ଟିକା କୋଭାକ୍ସିନ୍ ଯୋଗାଣକୁ ବାତିଲ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ସଂଗଠନ ପକ୍ଷରୁ କୁହାଯାଇଛି ଯେ, କୋଭାକ୍ସିନରେ କିଛି ଅଭାବ ରହିଥିବା ଯାଞ୍ଚ ପ୍ରକ୍ରିୟାରୁ ଜଣାପଡିଛି । ତେବେ ଏହି ଅଭାବଟି କ’ଣ ସେ ସଂପର୍କରେ ହୁ କିଛି ସ୍ପଷ୍ଟ କରିନାହିଁ । କିନ୍ତୁ ଜାତିସଂଘ ଏଜେନ୍ସିଗୁଡିକ ଜରିଆରେ ଭାରତୀୟ ଟିକାର ଯୋଗାଣକୁ ବାତିଲ କରିଛି । ହୁ ମଧ୍ୟ ବିଭିନ୍ନ ଦେଶକୁ କହିଛି ଯେ, ସେମାନେ ଭାରତୀୟ ଟିକା କୋଭାକ୍ସିନ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । କିନ୍ତୁ ସେହି ବିହିତ କାର୍ଯ୍ୟାନୁଷ୍ଠାନ କ’ଣ ଓ କିଭଳି ହେବ ସେ ବାବଦରେ ମଧ୍ୟ ହୁ କିଛି ବି ଉଲ୍ଲେଖ କରିନଥିବାରୁ ଏହି ନିଷ୍ପତ୍ତି ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ହାଇଦ୍ରାବାଦର ଫାର୍ମା କମ୍ପାନି ଭାରତ ବାୟୋଟେକ୍ କହିଛି ଯେ, ହୁ’ର ପଦକ୍ଷେପ କୋଭାକ୍ସିନର ଫଳପ୍ରଦତା ଓ ନିରାପତ୍ତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଯେଉଁ କୋଟି କୋଟି ଲୋକ କୋଭାକ୍ସିନ୍ ଟିକା ନେଇଛନ୍ତି, ସେମାନଙ୍କର ଟିକାକରଣ ସାର୍ଟିଫିକେଟ ବି ବୈଧ ରହିବ । କୋଭାକ୍ସିନ କେତେ ପ୍ରଭାବୀ ସେ ବାବଦରେ ବିଭିନ୍ନ ସ୍ତରରେ ହୋଇଥିବା ନୈଦାନିକ ପରୀକ୍ଷଣ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଏବଂ ଏ ବାବଦ ଅଧ୍ୟୟନ ମଧ୍ୟ ଉପଲବ୍ଧ ଅଛି ।
ହୁ ୨୦୨୧ ନଭେମ୍ବର ୩ରେ କୋଭାକ୍ସିନ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ହୁ କହିଥିଲା ଯେ, ଏହି ଟିକା ବେଶ୍ ଫଳପ୍ରଦ ଓ ନିରାପଦ । ଏହାପରେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଭାରତୀୟ ଟିକାର ବହୁଳ ବ୍ୟବହାର କରିଥିଲେ । କିନ୍ତୁ ଏବେ ହଠାତ୍ ଏଭଳି ନିଷ୍ପତ୍ତି କାହିଁକି ନେଲା ତାହା ଜଣା ପଡିନାହିଁ ।
Powered by Froala Editor