ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍ରୁ ବାହାରିଗଲା ୧୦ଟି କୋଚ୍

ରବିବାର ଅପରାହ୍ନ ୩ଟା ୧୦ରେ ଲୋକମାନ୍ୟ ତିଲକ ଟର୍ମିନିୟସ୍(ଏଲଟିଟି)-ଜୟନଗର ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ମହାରାଷ୍ଟ୍ରର ନାସିକ ନିକଟସ୍ଥ ଲାହଭିଟ୍ ଏବଂ ଦେବଲାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ପାଖାପାଖି ୧୦ଟି କୋଚ୍ ଟ୍ରାକ ବାହାରକୁ ଖସିଯାଇଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ ଏବଂ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ବୋଲି ଅଧିକାରୀ କହିଛନ୍ତି।
ମନମାଡ୍ରୁ ଏକ ଦୁର୍ଘଟଣା ରିଲିଫ୍ ଟ୍ରେନ୍, ଭୁସାଭାଲରୁ ରିଲିଫ୍ ଏବଂ ଚିକିତ୍ସା ଉପକରଣ ଏବଂ ଇଗାଟପୁରୀରୁ ଏକ ମେଡିକାଲ ଭ୍ୟାନ୍ ଘଟଣାସ୍ଥଳକୁ ପଠାଯାଇଛି ବୋଲି କେନ୍ଦ୍ରୀୟ ରେଳବାଇର ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ହେଲ୍ପଲାଇନ ନମ୍ବର ୦୨୨-୨୨୬୯୪୦୪୦ ଏବଂ ୦୨୨- ୬୭୪୫୫୯୯୩ ଜାରି କରାଯାଇଛି। ଦୁର୍ଘଟଣା କାରଣରୁ ନିଜାମୁଦ୍ଦିନ ମଙ୍ଗଳା ଏକ୍ସପ୍ରେସ, ଜଳନା ଜନଶତାବ୍ଦୀ ଏକ୍ସପ୍ରେସ, ଜବଲପୁର ଗରିବରଥ, ବାରଣାସୀ ଏକ୍ସପ୍ରେସ ଏବଂ ଏଲଟିଟି-ଗୋରଖପୁର ସମର ସ୍ପେଶାଲ ସମେତ ପାଞ୍ଚଟି ଟ୍ରେନର ଯାତ୍ରାପଥକୁ ପରିବର୍ତ୍ତନ କରାଯାଇଛି।
ତେବେ ଟ୍ରାକ୍ ଉପରେ ଏକ ମୃତ ଦେହ ପଡ଼ିଥିବା କିଛି ଗଣମାଧ୍ୟମରେ ଦର୍ଶାଯାଇଛି। କିନ୍ତୁ ଏହି ମୃତ ବ୍ୟକ୍ତି ବାହାର ଲୋକ ଅର୍ଥାତ ସେ ଉକ୍ତ ଟ୍ରେନ୍ର ଯାତ୍ରୀ ହୋଇ ନଥିବା ସନ୍ଦେହ କରାଯାଉଛି। ଏହି ମୃତ ଦେହଟି ଟ୍ରେନ୍ ଲାଇନଚ୍ୟୁତ ହେବା ପୂର୍ବରୁ ସେଠାରେ ପଡ଼ିଥିବା କେନ୍ଦ୍ରୀୟ ରେଲୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଶିଭାଜୀ ସୂତାର କହିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Powered by Froala Editor