ରାଜ୍ୟରେ ଆହୁରି ବଢ଼ିବ ତାତି
ଭୁବନେଶ୍ୱର : ରାଜ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆହୁରି ତାତି ବଢ଼ିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ସେହିପରି ଗ୍ରୀଷ୍ମ ପ୍ରବାହ ଜାରି ନେଇ ୮ଟି ଜିଲ୍ଲାକୁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍ଆର୍ସି) ଚିଠି ଲେଖିଛନ୍ତି । ଅନୁଗୁଳ, ବୌଦ୍ଧ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ, ସୋନପୁର ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ରୋଗୀଣା ବ୍ୟକ୍ତିମାନଙ୍କୁ ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ବାହାରକୁ ନ ବାହାରିବାକୁ ବାରଣ କରିଛନ୍ତି ।
ସେହିପରି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି, ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ଆସନ୍ତା ଏପ୍ରିଲ ୪ ପର୍ୟ୍ୟନ୍ତ କ୍ରମଶଃ ଧୀରେ ଧୀରେ ବଢ଼ିବ । ପ୍ରାୟ ୧ ଡିଗ୍ରୀରୁ ୧.୫ ଡିଗ୍ରୀ ସେଲସିୟସ୍ ଅଧିକ ରହିବ । ସେହିପରି ୫ରୁ ୭ ତାରିଖ ଭିତରେ ଆଉ ୧ ଡିଗ୍ରୀ ସେଲସିୟସ୍ ଅଧିକ ହେବ । କେତେକ ସ୍ଥାନରେ ୪୨ ଡିଗ୍ରୀ ସେଲସିୟସ୍ରୁ ଅଧିକ ହେବାର ସମ୍ଭାବନା ରହିଛି । ସେହିପରି ଉପକୂଳ ଜିଲ୍ଲାରେ (ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, କଟକ ଓ ବାଲେଶ୍ୱର)ର ସର୍ବାଧିକ ତାପମାତ୍ରା ବୁଧବାର ପ୍ରାୟ ୨ଡିଗ୍ରୀ ସେଲସିୟସ୍ କମି ୪ ତାରିଖ ପର୍ୟ୍ୟନ୍ତ ଅପରିବର୍ତ୍ତିତ ରହିବ । ଏପ୍ରିଲ ୫ରୁ ୭ ଭିତରେ ପ୍ରାୟ ୧.୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ପାଣିପାଗର ବିଭିନ୍ନ ମଡେଲରୁ ଜଣାପଡ଼ିଛି ଯେ ଆସନ୍ତା ୪ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୬ ତାରିଖ ରାତି ସୁଦ୍ଧା ଏହା ଲଘୁଚାପର ରୁପ ନେବ । ଏହା ଅବପାତରେ ପରିଣତ ହୋଇ ପ୍ରାୟତଃ ଉତ୍ତର ଦିଗରେ ଗତି କରି ମିଆଁମାର୍ ଉପକୂଳ ମୁହାଁ ହେବ । ଏହାର ପ୍ରଭାବରେ ଅଣ୍ଡାମାନ ଦ୍ୱୀପପୁଞ୍ଜରେ ଭାରୀ ବର୍ଷା ହୋଇପାରେ ।
Powered by Froala Editor