ବୋଲେରୋରୁ ୨କୁଇଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର
କଳାହାଣ୍ଡି: ବୋଲେରୋ ଯୋଗେ ଗଞ୍ଜେଇ ଚାଲାଣ ବେଳେ ୨କୁଇଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ମୁଖିଗୁଡା ମହୁଲପାଟଣା ଘାଟିରୁ ଅବକାରୀ ବିଭାଗ ଦ୍ୱାରା ୨କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଦିନକୁ ଦିନ ସମ୍ପୃକ୍ତ ଅଞ୍ଚଳରେ ସକ୍ରିୟ ହେଉଛନ୍ତି ଗଞ୍ଜେଇ ମାଫିଆ । ରିତିମତ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି ଗଞ୍ଜେଇ । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏକ ବୋଲେରୋ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶ ପଟରୁ ଓଡ଼ିଶା ସୀମାନ୍ତ ଦେଇ ଚାଲାଣ ହେଉଥିବା ନେଇ ସୂଚନା ପାଇବା ପରେ ଗଞ୍ଜେଇ ମାଫିଆଙ୍କ ଗତିବିଧି ଉପରେ ନଜର ରଖିଥିଲା ବିଭାଗ । ପରେ ମୁଖିଗୁଡା ମହୁଲପାଟଣାରେ ଅବକାରୀ ବିଭାଗର ଅଧିକାରୀ ମାନେ ଛକି ରହିଥିଲେ । ସେହି ସମୟ ଓ.ଡି. ୦୮ ସି ୪୨୮୪ ନମ୍ବର ବୋଲେରୋକୁ ଅବକାରୀ ବିଭାଗ ଅଟକାଇଥିଲେ । ଗାଡ଼ିଟି ଅଟକିବା ପରେ ଗାଡିରେ ଥିବା କିଛି ଚାଲାଣକାରୀ ଜଙ୍ଗଲ ଭିତରକୁ ଫେରାର ମାରିଥିଲେ । ଘଟଣାସ୍ଥଳରୁ ବିଭାଗ ବୋଲେର ସହ ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇର ଆନୁମାନିକ ଓଜନ ୨ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏନେଇ ବିଭାଗ ମଧ୍ୟ ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor