ମାର୍ଚ୍ଚ ଆରମ୍ଭରୁ ଲାଗିଲାଣି ନିଆଁ, ଜଳୁଛି ତେଲକୋଇ ବନାଞ୍ଚଳ

କେନ୍ଦୁଝର: ଗ୍ରୀଷ୍ମ ଋତୁ ଆରମ୍ଭ ହୋଇନି । ମାର୍ଚ୍ଚ ପହିଲାରୁ ରାଜ୍ୟରେ ବଢ଼ିଲାଣି ତାତି । ଆଉ ଜଳିଲାଣି ଜଙ୍ଗଲ । ଯାହାକି ସମସ୍ତଙ୍କୁ ଚିନ୍ତାରେ ପକାଇଲାଣି । ଯଦି ତୁରନ୍ତ ଏହାକୁ ଆୟତ୍ତ କରାନଯାଏ ତେବେ ଚଳିତ ବର୍ଷ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଆକଳନ କରାଯାଉଛି । ପରିବେଶବିତ୍ମାନେ ଏହାକୁ ନେଇ ଚିନ୍ତା ପ୍ରକଟ କଲେଣି ।
ତେଲକୋଇ ବନାଞ୍ଚଳ ଏବେ ହୁତୁହୁତୁ ହୋଇ ଜଳୁଛି । କିଛିଦିନ ତଳେ ନିଆଁ ଲାଗିଥିବା ବେଳେ ଏହା ବ୍ୟାପୀବାରେ ଲାଗିଛି । ତେଲକୋଇ ରେଞ୍ଜ ଅଧୀନ କରଦାଙ୍ଗି ପଞ୍ଚାୟତ ଶ୍ରୀଧରପୁର ଗାଁ ନିକଟ ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲ ଜଳୁଛି । ଏକର ଏକର ପୋଡ଼ି ଗଲାଣି । ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇ ସାରିଲାଣି ।
ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ସେଠାରେ ଥିବା ବନ୍ୟଜନ୍ତୁ ବିପଦରେ ପଡ଼ିଛନ୍ତି । ଜୀବନ ବଞ୍ଚାଇବାକୁ ସେମାନେ ଏତେତେଣେ ଦୌଡ଼ୁଛନ୍ତି । ଆଉ ଏହାର ଫାଇଦା ଉଠାଉଛନ୍ତି ଶିକାରୀ । ବନବିଭାଗର କୋହଳ ମନଭାବ ଯୋଗୁଁ ସେମାନେ ଅବାଧରେ ଶିକାର କରୁଛନ୍ତି । ଏହି ଜଙ୍ଗଲରେ ଥିବା ବାର୍ହା, କୁଟୁରା, ସମ୍ବର, ହରିଣ ଆଦି ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି । ଫଳରେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ସେମାନଙ୍କ ଜୀବନ ଯାଉଛି । ଆଉ କିଛି ଗାଁରେ ଥିବା ଗଭୀର କୂଅରେ ପଡ଼ିବା ଯୋଗୁଁ ମୃତ୍ୟୁ ଘଟୁଛି ।
ନିଆଁକୁ ଆୟତ୍ତ କରିବା ଲାଗି ବନବିଭାଗ ଉଦ୍ୟମ ଜାରି ରଖିଛି । ତେଲକୋଇ ରେଞ୍ଜରେ ନିଯୁକ୍ତି ଦିଆଯାଇଥିବା ୩୦ ଫାୟାର ସ୍କାଡ୍ ଦିନରାତି ଏକ କରି ନିଆଁ ଲିଭାଉଛନ୍ତି । ହେଲେ ଏତେ କମ୍ କର୍ମଚାରୀ ଲାଗି ତାହା ସମ୍ଭବ ହୋଇପାରୁନି । ଅଧିକ କର୍ମଚାରୀ ଓ ଫାୟାର ଗାଡ଼ି ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Powered by Froala Editor