ଆଙ୍କର କରାଇଦେବାକୁ କହି ଠକି ନେଲେ ଦୁଇଲକ୍ଷ
ଭୁବନେଶ୍ୱର: ନୁ୍ୟଜ ଆଙ୍କର କରାଇଦେବାକୁ କହି ଏକ ୱେବ ପୋର୍ଟାଲ ୧୦ରୁ ଅଧିକ ଯୁବକ ଯୁବତୀଙ୍କ ପାଖରୁ ପ୍ରାୟ ଦୁଇଲକ୍ଷ ଟଙ୍କା ଠକି ନେଇଛନ୍ତି । ଏନେଇ ଆଜି ଠକେଇର ଶିକାର ହୋଇଥିବା ଯୁବକ ଯୁବତୀ ମାନେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।
ଖବର ଅନୁଯାୟୀ, ଗତ ଦୁଇମାସ ତଳେ ଖଣ୍ଡଗିରି ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ଏକ ୱେବ ପୋର୍ଟାଲ ସାମାଜିକ ଗଣ ମାଧ୍ୟମରେ ନିଉଜ ଆଙ୍କର ପାଇଁ କିଛି ପଦବି ବିଜ୍ଞାପନ ଦେଇଥିଲା । ଏହି ବିଜ୍ଞାପନ ଆଧାରରେ ଗଞ୍ଜାମ ଆସ୍କା ଅଞ୍ଚଳର କିଛି ସମ୍ବାଦିକ ଛାତ୍ର ଚାକିରି ପାଇଁ ଯୋଗାଯୋଗ କରିଥିଲେ । ଚାକିରି କରିବାକୁ ହେଲେ ଜଣଙ୍କ ପିଛା ୧୮ହଜାର ଟଙ୍କା ଦେବାକୁ ହେବ ବୋଲି ୱେବ ପୋର୍ଟାଲର କର୍ତ୍ତୃପକ୍ଷ କହିଥିଲେ । ଟଙ୍କା ଦେବା ପାଇଁ ଉକ୍ତ କର୍ତ୍ତୃପକ୍ଷ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦେଇଥିଲେ । ଏହାପରେ ନିଯୁକ୍ତି ଆଶାୟୀମାନେ ୧୮ହଜାର ଟଙ୍କା ହିସାବରେ ପ୍ରାୟ ଦୁଇଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ନେବା ପରେ ନିଯୁକ୍ତି ପାଇଁ ଉକ୍ତ ୱେବ ପୋର୍ଟାଲକୁ ଯୋଗାଯୋଗ କରିବାରୁ ଆଉ କୌଣସି ଉତ୍ତର ମିଳିନଥିଲା ।
ତେଣୁ ବାଧ୍ୟ ହୋଇ ଅଭିଯୋଗକାରୀ ବିଜ୍ଞାପନର ଲିଖିତ ଠିକଣାରେ ଆସି ଖୋଜାଖୋଜି କରିଥିଲେ । ମାତ୍ର ସେଭଳି କୌଣସି ୱେବ ଚ୍ୟାନେଲ ସେଠରେ ନଥିବା ଜାଣିବାକୁ ପାଇଥିଲେ । ତେଣୁ ବାଧ୍ୟ ହୋଇ ଅଭିଯୋଗକାରୀ ମାନେ ପ୍ରଥମେ ଆସ୍କା ଓ ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପୋଲିସ ଗଣ୍ଡମୁଣ୍ଡା ଠିକଣାକୁ ଯାଇ ପଚରାଉଚରା କରିଥିଲେ ହେଁ ଠକର ପତ୍ତା ପାଇ ନଥିଲେ । ତେଣୁ ସମ୍ପୁର୍ଣ୍ଣ ଠିକଣା ଓ ଟଙ୍କା ଦେବାର ପୁରା ତଥ୍ୟ ପାଇବା ପରେ ହିଁ ମାମଲା ରୁଜୁ କରି ତଦନ୍ତ ଆଗକୁ ବଢ଼ାଇବ ବୋଲି ପୋଲିସ ସୂଚନା ଦେଇଛି ।
Powered by Froala Editor