ଦେଶରେ ମୋବାଇଲ୍ ସଂଯୋଗ ତାଲିକାରେ ପଛରେ ପଡ଼ିଛି ଓଡ଼ିଶା
ଭୁବନେଶ୍ୱର : ଓଡ଼ିଶା ପୁଣି ୧ ନଂ, ହେଲେ ଏଥର କୌଣସି ସଫଳତା ପାଇଁ ନୁହେଁ । ବରଂ ବିଫଳତା ପାଇଁ । ଦେଶରେ ମୋବାଇଲ୍ ସଂଯୋଗ ବା କନେକ୍ଟିଭିଟି ତାଲିକାରେ ପଛରେ ପଡ଼ିଛି ଓଡ଼ିଶା । ୧ ନମ୍ବର ସ୍ଥାନରେ ରହିଛି । ଓଡ଼ିଶାରେ ସର୍ବାଧିକ ୬୦୯୯ ଗାଁକୁ ପହଞ୍ଚି ପାରିନି ମୋବାଇଲ୍ ସଂଯୋଗ । କେନ୍ଦ୍ର ସରକାରଙ୍କ ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚୀରେ ଏହି ତଥ୍ୟ ଦିଆଯାଇଛି । ସେହିପରି ଦ୍ୱିତୀୟ ସ୍ଥାନରେ ମଧ୍ୟପ୍ରଦେଶ ଥିବା ବେଳେ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହିଛି । ମଧ୍ୟପ୍ରଦେଶର ୨୬୧୨ ଗାଁକୁ ମୋବାଇଲ୍ ସଂଯୋଗ ନଥିବା ବେଳେ ମହାରାଷ୍ଟ୍ରରେ ୨୩୨୮ ଓ ଅରୁଣାଚଳ ପ୍ରଦେଶର ୨୨୨୩ ଗାଁକୁ ବି ପହଞ୍ଚି ପାରିନି ମୋବାଇଲ୍ ନେଟୱାର୍କ । ପଡୋଶୀ ଛତିଶଗଡ଼ରେ ବି ୧୮୪୭ ଓ ଆନ୍ଧ୍ରପ୍ରଦେଶରେ ୧୭୮୭ ଗାଁରେ ନାହିଁ ମୋବାଇଲ୍ ସଂଯୋଗ ।
ଆଗକୁ ଓଡ଼ିଶାରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଏ ନେଇ ବିଭିନ୍ନ ଦଳ ଭୋଟ୍ ହାତେଇବା ପାଇଁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି । ଯାତାୟାତ ସୁବିଧା ସହ ବିଜୁଳି ସଂଯୋଗ ଓ ପିଇବା ଯୋଗ୍ୟ ପାଣି ଯୋଗାଇଦେବା ନେଇ ଲୋକଙ୍କୁ ଅନେକ ସ୍ୱପ୍ନ ଦେଖାଉଛନ୍ତି ରାଜନୈତିକ ଦଳ । ତେବେ ଦେଶ ଏବେ ଡିଜିଟାଲ ଇଣ୍ଡିଆର ଆଡକୁ ମୁହାଁଉଥିବା ବେଳେ ଏବେ ବି ରାଜ୍ୟରେ ୬ ହଜାରରୁ ଅଧିକ ଗାଁକୁ ମୋବାଇଲ ନେଟୱାର୍କ ପହଞ୍ଚିପାରି ନାହିଁ । ଏହି ସୂଚୀରେ ଓଡ଼ିଶା ଏକ ନମ୍ୱରରେ ରହିଛି । ଦେଶର ପ୍ରାୟ ୨୫,୦୦୦ ଗାଁକୁ ଏଯାବତ୍ ମୋବାଇଲ୍ ସଂଯୋଗ ହୋଇପାରିନଥିବା କେନ୍ଦ୍ର ସଞ୍ଚାର ମନ୍ତଣାଳୟ ସୂଚନା ଦେଇଛି ।
Powered by Froala Editor