ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ।ରାଜ୍ୟରେ କରୋନା ମହାମାରୀର ଲହର ଦ୍ରୁତ ଗତିରେ ମାଡ଼ି ଚାଲିଛି । ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି। ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟା ୩୦ସମୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ଯୋଗଦେବେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ।
ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ୪୮୨୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୪୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୮୨୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୦୦୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୫୬୯୮ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ, ସୁନ୍ଦରଗଡ଼ରୁ ୮୬୯ ଜଣ, ସମ୍ବଲପୁରରୁ ୬୪୪ ଜଣ, କଟକରୁ ୪୦୧ ଜଣ, ବାଲେଶ୍ବରରୁ ୨୧୦ ଜଣ, ଝାରସୁଗୁଡ଼ାରୁ ୧୮୯ ଜଣ, ମୟୂରଭଞ୍ଜରୁ ୧୬୨ ଜଣ,ପୁରୀରୁ ୧୩୦ ଜଣ, ବଲାଙ୍ଗୀରରୁ ୧୦୪ ଜଣ, ନବରଙ୍ଗପୁରରୁ ୮୫ ଜଣ, ବରଗଡ଼ରୁ ୮୪ ଜଣ, ରାୟଗଡ଼ାରୁ ୮୨ ଜଣ, କୋରାପୁଟରୁ ୭୭ ଜଣ, ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ୬୯ ଜଣ ଲେଖାଁଏ, କେନ୍ଦୁଝରରୁ ୬୩ ଜଣ, ନୂଆପଡ଼ାରୁ ୫୧ ଜଣ, ଗଞ୍ଜାମରୁ ୪୯ ଜଣ, କଳାହାଣ୍ଡିରୁ ୪୮ ଜଣ, ଜଗତସିଂହପୁୁରରୁ ୪୬ ଜଣ, ଗଜପତି ଓ ସୋନପୁର ଜିଲ୍ଲାରୁ ୩୨ ଜଣ ଲେଖାଁଏ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରୁ ୨୪ ଜଣ ଲେଖାଁଏ, ଢ଼େଙ୍କାନାଳରୁ ୨୩ ଜଣ, ଦେବଗଡ଼ରୁ ୧୯ ଜଣ,ମାଲକାନଗିରିରୁ ୧୧ ଜଣ, କନ୍ଧମାଳରୁ ୮ ଜଣ, ବୌଦ୍ଧରୁ ୬ ଜଣ ଏବଂ ଷ୍ଟେଟ୍ ପୁଲ୍ରୁ ୨୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୭୫୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୫୬୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୬୬୧୭ ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor