କାବେରୀରେ ଭାସିଗଲେ ୫ ଜଣ
କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ମୁଥାଠୀ'ରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ୪ ଜଣ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ବେଙ୍ଗାଲୁରୁ ନିକଟସ୍ଥ ଚନ୍ନପଟ୍ଟଣ ଅଞ୍ଚଳର ବୋଲି ଜଣାପଡ଼ିଛି ।
ନଦୀରେ ଭାସିଯାଇଥିବା ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ବିଜୟମ୍ମା (୫୦ ବର୍ଷ), ଶ୍ୱେତା (୩୮ ବର୍ଷ), ପ୍ରିୟଙ୍କା (୨୮ ବର୍ଷ), ଚୈତ୍ରା (୨୦ ବର୍ଷ), ମହେଶ (୩୦ ବର୍ଷ, କାର୍ ଡ୍ରାଇଭର) । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ନଦୀରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ କରାଯିବା ପରେ ୫ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ନଦୀ କୂଳରେ ଫଟୋ ଉଠାଉଥିବା ସମୟରେ ପ୍ରଥମେ ୫୦ ବର୍ଷୀୟ ମହିଳା ବିଜୟମ୍ମାଙ୍କ ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ସେ ନଦୀର ଗଭୀର ପାଣିକୁ ଖସି ପଡ଼ିଥିଲେ । ବିଜୟମ୍ମାଙ୍କୁ ବୁଡ଼ିଯାଉଥିବାର ଦେଖି ପରିବାରର ବାକି ସଦସ୍ୟ ଏବଂ ସେମାନଙ୍କ କାର୍ ଡ୍ରାଇଭର ମଧ୍ୟ ତାଙ୍କୁ ରକ୍ଷା କରିବା ପାଇଁ ଜଣଙ୍କ ପରେ ଜଣେ ନଦୀକୁ ଡେଇଁ ପଡ଼ିଥିଲେ । ସେମାନଙ୍କ ଚିତ୍କାର ଶୁଣି ରବି ନାମକ ଜଣେ ସ୍ଥାନୀୟ ଯୁବକ ମଧ୍ୟ ନଦୀକୁ ଡେଇଁଥିଲେ, କିନ୍ତୁ ସ୍ଥାନୀୟ ଲୋକେ କେବଳ ରବିଙ୍କୁ ହିଁ ସୁରକ୍ଷିତ ଉଦ୍ଧାର କରିପାରିଥିଲେ । ବାକି ୫ ଜଣ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।
ପୁଲିସ ସୂଚନା ଅନୁଯାୟୀ, ଏହି ପରିବାର ବେଙ୍ଗାଲୁରୁରୁ ଏକ କାର୍ ଭଡ଼ାରେ ନେଇ ମାଣ୍ଡ୍ୟା ଜିଲ୍ଲାର ପ୍ରସିଦ୍ଧ ଅଞ୍ଜନେୟସ୍ୱାମୀ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ । ମନ୍ଦିର ଦର୍ଶନ ସାରି ସମସ୍ତେ ପାଖରେ ବହୁଥିବା କାବେରୀ ନଦୀ କୂଳକୁ ବୁଲିବାକୁ ଯାଇଥିଲେ । ନିଜ ମୋବାଇଲ୍ରେ କିଛି ସ୍ମୃତି କଏଦ୍ କରିବାକୁ ଚାହୁଁଥିଲେ, ହେଲେ ସେହି ଜୀବନର ଶେଷ ସେଲଫି ପାଲଟିଗଲା ।
Powered by Froala Editor