ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ୧୨ ରେ ଜିଲ୍ଲାପାଳ ଓ ଏସପିଙ୍କ ବୈଠକ
ଭୁବନେଶ୍ୱର : ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା ପରେ ପଞ୍ଚାୟତ ନିର୍ବାଚନ କରିବାକୁ ବିରୋଧୀ ବିଜେପି ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛି । ହେଲେ ଠିକ ସମୟରେ ଓ ଶୃଙ୍ଖଳିତ ଭାବେ ଯେପରି ପଞ୍ଚାୟତ ନିର୍ବାଚନ ହେବ ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି । ଏଥିପାଇଁ ରାଜ୍ୟ ନିର୍ବାଚନ କମିସନର ଆସନ୍ତା ୧୨ତାରିଖରେ ଜିଲ୍ଲାପାଳ ଓ ଏସପିମାନଙ୍କ ବୈଠକ ଡାକିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରି ୧୨ରେ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଏହି ବୈଠକ ବସିବ । ଏଥିରେ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଉନ୍ନୟନ କମିସନର, ଗୃହ ବିଭାଗ ପ୍ରମୁଖ ସଚିବ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଯୋଗଦେବେ । ପୂର୍ବରୁ ଜିଲ୍ଲାପାଳ ଓ ଏସପିଙ୍କ ବୈଠକ ଭର୍ଚୁଆଲ ମୋଡରେ ହୋଇଥିଲେ ହେଁ ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ, ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନ ଭୋଟ ବ୍ଲକ ସ୍ତରରେ ଗଣତି ହେବାକୁ ଥିବାରୁ ସବୁ ପ୍ରସ୍ତୁତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଏହି ଅଫଲାଇନ୍ ବୈଠକ ଡକାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକ ପରେ କମିସନ ସର୍ବଦଳୀୟ ବୈଠକ ଡାକିବେ । ଜାନୁଆରି ତୃତୀୟ ସପ୍ତାହରେ ହିଁ ପଞ୍ଚାୟତ ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ ହେବ ।
Powered by Froala Editor