ଜାନୁଆରି ମାସରେ ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶ ଉପରେ ରୋକ
ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ, କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଜାନୁଆରି ମାସରେ ସମସ୍ତ ପ୍ରକାରର ସାମାଜିକ ଓ ଧାର୍ମିକ ସମାବେଶ ଉପରେ ରୋକ ଲାଗିଥିବା ବେଳେ ରାଜନୈତିକ ସମାବେଶ ସର୍ବାଧିକ ୧୦୦ଜଣ ଲୋକଙ୍କୁ ନେଇ କରିବାକୁ କୁହାଯାଇଛି । ସରକାରଙ୍କ ବଡ଼ ନିଷ୍ପତ୍ତି କ୍ରମେ ଜାନୁଆରିରେ କୌଣସି ବଣଭୋଜି ହୋଇପାରିବନି ।
କୌଣସି ପାର୍କ, ନେଚର କ୍ଲବ୍, ବେଳାଭୂମି ଏବଂ ଅନ୍ୟାନ୍ୟ ସ୍ଥାନରେ ବଣଭୋଜି ହେବନି । ଗୁରୁବାର ଦିନ ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁଯାୟୀ, ଜାନୁଆରି ୧ରୁ ଫେବ୍ରୁଆରି ୧ ପର୍ଯ୍ୟନ୍ତ କୌଣସି ହୋଟେଲ, ପାର୍କ, ମଲ, କନଭେନସନ୍ ସେଣ୍ଟର, କଲ୍ୟାଣ ମଣ୍ଡପରେ ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମ ହେବନି । କୌଣସି ଶିକ୍ଷାନୁଷ୍ଠାନ ବଣଭୋଜି ଆୟୋଜନ କରିପାରିବେନି । ବାର୍ଷିକ ଉତ୍ସବ ବି ପାଳନ ହେବନି । କୌଣସି ମେଳା, ପ୍ରଦର୍ଶନୀ, ଟ୍ରେଡ୍ ଫେୟାର, ଏକ୍ସପୋ ଆୟୋଜନ ହୋଇପାରିବନି । ସରକାରୀ କାର୍ଯ୍ୟକ୍ରମ ହେଉଥିଲେ ଏନେଇ ଆଗୁଆ ଅନୁମତି ନେବାକୁ ପଡ଼ିବ । ସେହିପରି ସବୁ ସହରାଞ୍ଚଳେଡର ପୂର୍ବଭଳି ନାଇଟ କର୍ଫୂ ଜାରି ରହିବ । ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର କୋଭିଡ ଗାଇଡଲାଇନ୍ ଅନୁଯାୟୀ ଖୋଲା ରହିବ ।
ରାଜ୍ୟ ସରକାର ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଥିଲେ ହେଁ ସାଂସ୍କୃତିକ ସମାବେଶ, ମେଲୋଡି, ଯାତ୍ରା, ଅପେରା, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ସାଂସ୍କୃତିକ ପ୍ରତିଯୋଗିତା, ଡ୍ରାମା, ଖୋଲା ମଞ୍ଚ ନାଟକ, ପଥପ୍ରାନ୍ତ ନାଟକ ଆଦି ପାଇଁ ଅନୁମତି ଦେଇଛନ୍ତି । ଅଡିଟୋରିୟମ, ସଭା ଗୃହ ଏବଂ ସମାନ ସୁବିଧା ଥିବା ଗୃହରେ କ୍ଷମତାର ୫୦% ଲୋକ ଏକାଠି ହୋଇପାରିବେ । ଅପେରା, ଯାତ୍ରା, ମୁକ୍ତାକାଶ ନାଟକକୁ ଅନୁମତି ଦିଆଯାଇଥିଲେ ହେଁ ଏନେଇ ଚୂଡ଼ାନ୍ତ ଅନୁମତି ଜିଲ୍ଲାପାଳ, ଏସପି ଓ ମୁ୍ୟନିସପାଲ କମିସନରମାନଙ୍କ ଠାରୁ ଆଣିବାକୁ ହେବ । ଯାତ୍ରା ପାଇଁ ପୂର୍ବରୁ ସର୍ବାଧିକ ୨ହଜାର ଲୋକ ବସିବାକୁ ଅନୁମତି ଦିଆଯାଇଥିବା ବେଳେ ଏବେ ଏହାକୁ ହଜାରେକୁ କମାଇ ଦିଆଯାଇଛି । ପୂର୍ବରୁ ଯାତ୍ରା ପାଇଁ ଯାହା କଟକଣା ଥିଲା ତାହା ଲାଗୁହେବ । ଇନଡୋର ହଲ, ସିନେମା ହଲ, ଥିଏଟର, ଆବଦ୍ଧ ଅଞ୍ଚଳରେ ସର୍ବାଧିକ ୫୦% ଦର୍ଶକ ବସିପାରିବେ । ସପିଂ ମଲ ଖୋଲା ରହିବ । ହେଲେ ସେଠାରେ ଯେପରି କୋଭିଡ କଟକଣା କଡ଼ାକଡ଼ି ପାଳନ ହେବ, ଅଧିକ ଗହଳି ହେବନି ସେନେଇ ମଲ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ କୁହାଯାଇଛି ।
Powered by Froala Editor