ବରକନ୍ୟା ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଡ୍ରାଇଭରର ମୃତ
ଛତିଶଗଡ: ବିବାହ ପରେ ବରକନ୍ୟା ଫେରୁଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତୁ୍ୟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବରକନ୍ୟା ସମେତ ୮ ଜଣ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଆମପାଣି ନିକଟରେ ବିଜୁ ଏକ୍ସପ୍ରେସ୍ ୱେରେ ଘଟିଛି ।
ସୂଚନା ଅନୁସାରେ ଛତିଶଗଡର ଦେବଭୋଗ ବ୍ଲକର ଡୁମେରପଦର ଗାଁରୁ ଗତକାଲି ବର ବିବାହ ନିମନ୍ତେ ନବରଙ୍ଗପୁର ଜିଲ୍ଲା ମଇଦଲପୁର ବ୍ଲକର ସର୍ଗିଗୁଡା ଗାଁକୁ ଆସିଥିଲା । ବିବାହ ସରିବା ପରେ ଗତରାତିରେ ବରକନିଆଙ୍କ ସମେତ ୮ ଜଣ ଏକ ବୋଲେରୋରେ ଛତିଶଗଡ ଫେରୁଥିଲେ ।
ଗାଡିଟି ଗତ ରାତିରେ ନବରଙ୍ଗପୁର ଜିଲ୍ଲା ଅତିକ୍ରମ କରି କଳାହାଣ୍ଡି ଜିଲ୍ଲାରେ ପ୍ରବେଶ କରି ଧର୍ମଗଡ ବ୍ଲକ ବିଜୁ ଏକ୍ସପ୍ରେସ୍ ୱେରେ ଯାଉଥିଲା । ମାତ୍ର ରାତି ପ୍ରାୟ ୧୧ଟା ବେଳେ ଗାଡିଟି ଆମପାଣି ନିକଟରେ ହୋଇଥିବା ବେଳେ ସମ୍ମୁଖ ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଟ୍ରକ୍ଟି ଓଲଟି ପଡିଥିଲା ।
ବୋଲେରୋରେ ଥିବା ସମସ୍ତେ ଆହତ ହୋଇଥିବା ବେଳେ ଡ୍ରାଇଭର ଦେବଭୋଗ ବ୍ଲକ ଉରମାଲ ଗାଁର ରୁକମନ ସାହୁଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମେଡିକାଲ ନେବା ବାଟରେ ତାଙ୍କ ମୃତୁ୍ୟ ହୋଇଥିଲା । ବୋଲେରୋରେ ଥିବା ଅନ୍ୟମାନଙ୍କୁ ଧର୍ମଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
Powered by Froala Editor