ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଅଭିଭାବକ ମହାସଂଘର ବିରୋଧ

ଭୁବନେଶ୍ୱର: ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଚିନ୍ତା ବଢାଉଛି । ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିବା ସତ୍ତ୍ୱେ ଓମିକ୍ରନ ଗୋଟିଏ ପରେ ଗୋଟିଏ ରାଜ୍ୟରେ ପଶି ଦ୍ରୁତ ସଂକ୍ରମଣ କରିବାରେ ଲାଗିଛି । ଓଡିଶାରେ ଏବେ ସୁଦ୍ଧା ୯ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହାରି ଭିତରେ ଜାନୁୟାରୀ ୩ତାରିଖରୁ କୋମଳମତି ଶିଶୁ (୫ରୁ ୧୦ବର୍ଷ ବୟସର)ଙ୍କୁ ସ୍କୁଲ ଆଣିବା ପାଇଁ ରାଜ୍ୟ ସରକାର ବ୍ୟଗ୍ର ହୋଇପଡିଛନ୍ତି । ସବୁ ବର୍ଗର ସ୍କୁଲଗୁଡିକ ପାଇଁ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଖୋଲିବାକୁ ଗାଇଡଲାଇନ୍ ଜାରି କରିଛନ୍ତି ।
ତେବେ ଏହିଭଳି ଏକ ଘଡିସନ୍ଧି ସମୟରେ ସରକାରଙ୍କ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଗୋଟିଏ ପଟେ ସରକାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବାବେଳେ, ଅନ୍ୟପଟେ ଛୋଟପିଲାଙ୍କ ଜୀବନକୁ ବାଜିରେ ଲଗାଇ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠୁଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେସୁଦ୍ଧା ପିଲାମାନଙ୍କ ପାଇଁ କରୋନା ଟିକା ବାହାରି ନାହିଁ । କେବେ ଆସିବ ଓ କେବେ ଦିଆଯିବ ତାହା କହିବା ମଧ୍ୟ ମୁସ୍କିଲ । ଯେଉଁଥିପାଇଁ ଅଭିଭାବକ ମଧ୍ୟ ଚିନ୍ତାରେ ପଡିଛନ୍ତି ।
ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡିଶା ଅଭିଭାବକ ମହାସଂଘ ଦୃଢ ବିରୋଧ କରିଛି । ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ତରତର ହୋଇ ଏଭଳି ନିଷ୍ପତ୍ତି ନେବା ଗ୍ରହଣଯୋଗ୍ୟ ନୁହେଁ । ଛୋଟ ପିଲାଙ୍କ ପାଇଁ ଟିକା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଶିକ୍ଷାବିତ୍ ଆର୍ ଏନ୍ ପଣ୍ଡା କହିଛନ୍ତି ପାଠପଢା ନାଁ’ରେ ପିଲାଙ୍କୁି ମୃତୁ୍ୟ ମୁଖକୁ ଠେଲା ନଯାଉ ।
Powered by Froala Editor