୩ରୁ ଖୋଲିବ ପ୍ରାଥମିକ ସ୍କୁଲ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିବ ୬ ଫୁଟ୍ ଦୂରତା

୩ରୁ ଖୋଲିବ ପ୍ରାଥମିକ ସ୍କୁଲ । ଏଥିପାଇଁ ଗାଇଡ୍ଲାଇନ୍ ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସି ପାରିବେ । ସବୁ କ୍ଲାସରୁମକୁ ସଠିକ୍ ଭାବେ ସାନିଟାଇଜ୍ କରିବା ନେଇ ଏସଓପି ଜାରି ହୋଇଛି । କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ରହିବ । ସ୍କୁଲ ପରିସରରେ ସମସ୍ତଙ୍କ ପାଇଁ ମାସ୍କ ପରିଧାନ ସହ ଆଇସୋଲେସନ ରୁମ୍ ବାଧ୍ୟତାମୂଳକ କରାଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ୍ ପରିଦର୍ଶନ କରିବା ସହ କୋଭିଡ୍ ନିୟମାବଳୀର ନିୟମିତ ସମୀକ୍ଷା କରିବେ ଶିକ୍ଷା ଅଧିକାରୀ । ଅନ୍ୟପଟେ ସ୍କୁଲ ପରିବହନ ବ୍ୟବସ୍ଥା ବଦଳରେ ଅଭିଭାବକ ନିଜେ ପିଲାଙ୍କୁ ସ୍କୁଲ ନେବା ଆଣିବା କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ୫୦% କ୍ଷମତାରେ ସ୍କୁଲ ବସ୍ ଚଲାଇବାକୁ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
କଣ୍ଟେନମେଣ୍ଟ ଜୋନରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ । ବିଦ୍ୟାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ହେଲପଲାଇନ୍ ନମ୍ବର ସହ ସ୍ଥାନୀୟ ଚିକିତ୍ସା କର୍ତ୍ତୃପକ୍ଷଙ୍କ ନମ୍ବର ଲେଖାଯିବ । ଭିଡ଼କୁ ଏଡ଼ାଇବା ଲାଗି ସ୍କୁଲରେ କୌଣସି ଖେଳ କିମ୍ବା କାର୍ଯ୍ୟକ୍ରମ ହେବ ନାହିଁ । ବୁଲା ବିକାଳି ସ୍କୁଲ୍ ପରିସରରେ ପ୍ରବେଶ କରିପାରିବେ ନାହିଁ । ଜଣେ ଶିକ୍ଷକ ଓ ଜଣେ ସ୍କୁଲ୍ କମିଟି ସଦସ୍ୟଙ୍କୁ ନେଇ କୋଭିଡ୍ ମନିଟରିଂ ଟିମ୍ ଗଠନ କରାଯିବ ।
ସୂଚନା ଯେ, ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟାରୁ ପର୍ଯ୍ୟନ୍ତ ସ୍କୁଲ ଚାଲିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ତେବେ ଯେଉଁଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ରହିଛି, ସେଠାରେ ସମ୍ମେଟିଭ୍ ପରୀକ୍ଷା ଚାଲୁଥିବାରୁ ଜାନୁଆରୀ ୧୦ ତାରିଖ ପରେ ସ୍କୁଲ ଖୋଲିବ।
Powered by Froala Editor