ରାଜ୍ୟରେ ଆଗାମୀ ୪ଦିନ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କମିଛି ଶୀତର ପ୍ରକୋପ । ଉତ୍ତର-ପୂର୍ବ ଦିଗରୁ ଥଣ୍ଡା ବାୟୁ ପ୍ରବେଶ ପରିବର୍ତ୍ତ ପଶ୍ଚିମ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଆଗାମୀ ୪ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ରାଜ୍ୟର କେତେକ ସ୍ଥାନରେ ଆକାଶ ମେଘାଛନ୍ନ ରହିବା ସହିତ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉପକୂଳ ଓଡିଶା ସହିତ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ରାତି ତାପମାତ୍ରା ୦.୮ରୁ ୨.୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଉପକୂଳ ଓଡିଶାରେ ରାତି ତାପମାତ୍ରାରେ ୦.୩ରୁ ୩.୮ ଡିଗ୍ରୀ ଯାଏ ବୃଦ୍ଧି ଘଟିଛି । ଫୁଲବାଣୀରେ ସ୍ୱାଭାବିକ ତାପମାତ୍ରାଠାରୁ ବର୍ତ୍ତମାନର ରାତି ତାପମାତ୍ରା ୭.୨ ଡିଗ୍ରୀ ଅଧିକ ରହିଥିବା ବେଳେ ସମ୍ବଲପୁର ଓ ବାରିପଦାରେ ୫.୯ ଡିଗ୍ରୀ, ପାରାଦୀପରେ ୫.୧ ଡିଗ୍ରୀ, ବାଲେଶ୍ୱର ଓ ଚାନ୍ଦବାଲିରେ ୪ ଡିଗ୍ରୀ, କଟକରେ ୩.୯ ଡିଗ୍ରୀ ଓ ଭୁବନେଶ୍ୱରରେ ୩.୮ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି ।
ରାତ୍ରି ତାପମାତ୍ରା ସବୁଠାରୁ ଅଧିକ ରହୁଥିବା ବେଳେ ଘନ କୁହୁଡି ପଡୁଥିବା ଦେଖିବାକୁ ମିଳିଛି । ରାଜ୍ୟରେ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରୀକୁ ବୃଦ୍ଧି ପାଇଛି ।
Powered by Froala Editor