ଗଡ୍ସେଙ୍କୁ ପ୍ରଶଂସା କରି ବିବାଦରେ ଧର୍ମଗୁରୁ କାଳିଚରଣ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ଅଡୁଆରେ ପଡିଛନ୍ତି ତଥାକଥିତ ହିନ୍ଦୁ ଧର୍ମଗୁରୁ କାଳିଚରଣ ମହାରାଜ । ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କଂଗ୍ରେସ ରାଜ୍ୟ ସଭାପତି ମୋହନ ମାର୍କମ୍ ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି।
ମହାରାଷ୍ଟ୍ରର ହିନ୍ଦୁ ଧର୍ମଗୁରୁ ସନ୍ଥ କାଳୀଚରଣ ମହାରାଜ ରବିବାର ଛତିଶଗଡ଼ର ରାୟପୁରରେ ଆୟୋଜିତ ଧର୍ମ ସଂସଦରେ ଯୋଗଦେଇଥିଲେ। ଏହି ସମୟରେ ସେ ମହାତ୍ମା ଗାନ୍ଧିଙ୍କୁ ଅପମାନିତ କରିବାର ସହ ତାଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେକୁ ପ୍ରଶଂସା କରିଥିଲେ। ସୋଶାଲ ମିଡିଆରେ କାଳିଚରଣ ଦେଇଥିବା ବୟାନର କିଛି ଅଂଶ ଭାଇରାଲ ହେବାରେ ଲାଗିଛି। ଏଥିରେ ରାଜନୀତି ଦ୍ୱାରା କ୍ଷମତା ଦଖଲ କରିବା ହିଁ ଇସଲାମର ଏକାମାତ୍ର ଲକ୍ଷ୍ୟ। ଏହାକୁ ଯେମିତି ହେଲେ ରୋକିବାକୁ ପ୍ରୟାସ କରାଯିବା ଦରକାର ବୋଲି କାଳିଚରଣ କହିଛନ୍ତି। ଏଥିସହ ମୋହନଦାସ କରମଚାନ୍ଦ ଗାନ୍ଧି(ମହାତ୍ମା ଗାନ୍ଧି) ଦେଶକୁ ଧ୍ୱଂସ କରିଦେଇଥିଲେ ଓ ତାଙ୍କୁ ହତ୍ୟା କରିଥିବା ନାଥୁରାମକୁ ସେ ସଲାମ କରୁଛନ୍ତି ବୋଲି କହିଛନ୍ତି।
ସେ ଯେଉଁ ସଭାରେ ଗାନ୍ଧିଙ୍କୁ ଅପମାନିତ କରିଛନ୍ତି, ସେଠାରେ ଉପସ୍ଥିତ ଆଉ ଜଣେ ମହନ୍ତ ରାଗରେ କାର୍ଯ୍ୟକ୍ରମକୁ ଅଧାରୁ ଛାଡ଼ି ଚାଲି ଯାଇଛନ୍ତି। ଆପତ୍ତିଜନକ ବିବୃତ୍ତି ଉପରେ କଂଗ୍ରେସ ଏହାର ପ୍ରତିବାଦ କରିଥିଲା। ରାଜ୍ୟ କଂଗ୍ରେସ ସଭାପତି ମୋହନ ମାର୍କମ୍ ବିଳମ୍ବିତ ରାତି ୧୨ଟା ସମୟରେ ସିଭିଲ୍ ଲାଇନ୍ ପୁଲିସ୍ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। ତାଙ୍କର ଏହି ବିବାଦୀୟ ବୟାନକୁ ନେଇ ରାୟପୁରର ପୂର୍ବତନ ମେୟର ପ୍ରମୋଦ ଦୁବେ ପୁଲିସରେ ଅଭିଯୋଗ କରିଛନ୍ତି। ଏହାପରେ ତାଙ୍କ ନାଁରେ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ପାଇଁ ମାମଲା ହୋଇଛି। ରାଜ୍ୟ କଂଗ୍ରେସ ମୁଖ୍ୟ ମୋହନ ମାର୍କମ୍ ସନ୍ଥ କାଳିଚରଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।
Powered by Froala Editor