ବୁଷ୍ଟର ଟିକା ମଧ୍ୟରେ ରହିବ ୯ରୁ ୧୨ ମାସର ଅନ୍ତର

ନୂଆଦିଲ୍ଲୀ: କରୋନାର ଓମିକ୍ରନ ପ୍ରଜାତି ଭୂତାଣୁର ସଂକ୍ରମଣ ବୃଦ୍ଧିକୁ ନେଇ ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ସରକାର ଦେଶର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କରୋନାର ବୁଷ୍ଟର ବା ତୃତୀୟ ପାନ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଓମିକ୍ରନ ସଂକ୍ରମିତଙ୍କ ଚିକିତ୍ସା ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମଚାରୀଙ୍କୁ ସଂକ୍ରମଣ ଆଶଙ୍କାରୁ ଦୂରେଇ ରଖାଯାଇପାରିବ। ଏହା ସହିତ ୬୦ବର୍ଷରୁ ଅଧିକ ବୟସର ଲୋକ ଯେଉଁମାନେ କି ବିଭିନ୍ନ ରୋଗରେ ଆକ୍ରାନ୍ତ ସେମାନଙ୍କୁ ମଧ୍ୟ ତୃତୀୟ ପାନ ଟିକା ଦିଆଯିବ। ଜାନୁଆରୀ ୧୦ରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ।
ଏହି ବୁଷ୍ଟର ପାନ ବା ତୃତୀୟ ପାନ ନେବାକୁ ହେଲେ ୨ୟ ଓ ୩ୟ ପାନ ମଧ୍ୟରେ ୯ରୁ ୧୨ମାସ ଅନ୍ତର ରହିବା ଆବଶ୍ୟକ। ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ମଧ୍ୟ ଏହି ଅନ୍ତରରେ ଟିକା ଦିଆଯିବାକୁ ଯୋଜନା ହେଉଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି। ୨୦୨୧ ଜାନୁଆରୀ ୧୬ରେ ଦେଶର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଥମ ପାନ ଟିକାକରଣ କରାଯାଇଥିଲା। ପ୍ରଥମ ପାନର ୨୮ଦିନ ପରେ ଦ୍ବିତୀୟ ପାନ ଟିକା ଦିଆଯାଇଥିଲା। ଅର୍ଥାତ୍ ଅଧିକାଂଶ ସ୍ବାସ୍ଥ୍ୟ କର୍ମଚାରୀ ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ ଦ୍ବିତୀୟ ପାନ ଟିକା ନେଇଛନ୍ତି। ତେଣୁ ବୁଷ୍ଟର ପାନ ଟିକା ନେବାକୁ ସମସ୍ତେ ଯୋଗ୍ୟ ବିବେଚିତ ହେବେ। ଦେଶରେ ଏବେ ପ୍ରାୟ ୩କୋଟି ସ୍ବାସ୍ଥ୍ୟ କର୍ମଚାରୀ ଅଛନ୍ତି। ସେହିପରି ୧୩କୋଟି ୭୯ଲକ୍ଷ ୬୦ବର୍ଷରୁ ଊର୍ଦ୍ଧ୍ବ ନାଗରିକ ଅଛନ୍ତି।
Powered by Froala Editor