ମୁଖାଗ୍ନି ଦେବା ବେଳେ ଜୁଇରେ ଆଖି ଖୋଲିଲେ ବୃଦ୍ଧ, ସମସ୍ତଙ୍କ ଉଡ଼ିଗଲା ହୋସ୍

ନୂଆଦିଲ୍ଲୀ: ସବୁକିଛି ପ୍ରସ୍ତୁତ ସରିଥିଲା । ଜୁଇରେ ଶରୀର ରଖା ଯାଇଥିଲା । କାଠ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ପାଖରେ ଥୁଆ ହୋଇଥିଲା । ପରିବାର ଲୋକ ଶ୍ମଶାନରେ ପହଞ୍ଚି ଶୋକ ପ୍ରକାଶ କରୁଥିଲେ । ହେଲେ ପୁଅ ମୁଖାଗ୍ନି ଦେବାକୁ ଗଲାବେଳେ ସବୁକିଛି ଓଲଟପାଲଟ ହୋଇଗଲା । ଯାହାକି ସେଠାରେ ଉପସ୍ଥିତ ଲୋକଙ୍କ ହୋସ୍ ଉଡ଼ାଇ ଦେଇଥିଲା । ଜୁଇରେ ଶୋଇଥିବା ବୃଦ୍ଧ ଜଣଙ୍କ ଆଖି ମିଟି ମିଟି କରି ଚାହିଁଥିଲେ । ଏହାପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ଦିଲ୍ଲୀର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପୂରା ଘଟଣାଟି ଥିଲା ଏମିତି...ନରେଲା ଟିକ୍ରି ଖୁରଡ଼ ଗାଁର ୬୨ ବର୍ଷୀୟ ବୃଦ୍ଧ ଜଣଙ୍କ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ । ନିକଟରେ ତାଙ୍କ ଶରୀର ଅଧିକ ଅସୁସ୍ଥ ହୋଇଯାଇଥିଲା । ପରିବାର ଲୋକେ ତାଙ୍କୁ ଦ୍ୱାରକା ଭେଙ୍କଟେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କିଛି କରିବର୍ତନ ହୋଇନଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବୃଦ୍ଧ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଅଧିକ ଦିନ ଆଇସିୟୁର ଖର୍ଚ୍ଚ ଦେବାକୁ ପରିବାର ଲୋକଙ୍କ ସମ୍ବଳ ନଥିଲା । ତେଣୁ ଡାକ୍ତରଙ୍କୁ କହି ତାଙ୍କୁ ଘରକୁ ନେଇ ଆସିଥିଲେ । ବୃଦ୍ଧଙ୍କ ଠାରୁ ଭେଣ୍ଟିଲେଟର ହଟାଯିବା ପରେ ତାଙ୍କର ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥିଲା । ଦୀର୍ଘ ଘଣ୍ଟା ଧରି ନିଶ୍ୱାସ ନଫେରିବାରୁ ପରିବାର ଲୋକେ ତାଙ୍କୁ ମୃତ ବୋଲି ଭାବି ନେଇଥିଲେ । ଅନ୍ତିମ ସଂସ୍କାର ପାଇଁ ମଶାଣିକୁ ନେଇଗଲେ । ସେଠାରେ ଜୁଇ ପ୍ରସ୍ତୁତ ହେଲା । ତା ଉପରେ ରଖାଗଲା ବୃଦ୍ଧଙ୍କ ମୃତଦେହ । ପୁଅ ମୁଖାଗ୍ନି ଦେବା ପୂର୍ବରୁ ପରମ୍ପରା ଅନୁଯାୟୀ ତାଙ୍କ ମୁହଁରୁ କପଡ଼ା ଖୋଲା ଯାଇଥିଲା । ଏହି ସମୟରେ ବୃଦ୍ଧ ଜଣଙ୍କ ଆଖି ଖୋଲିଥିଲେ । ଶରୀର ମଧ୍ୟ ଧୀରେ ଧୀରେ ହଲଚଲ୍ କରିଥିଲେ । ଏହା ଦେଖି ତାଙ୍କୁ ତୁରନ୍ତ ଜୁଇରୁ ତଳକୁ ଓହ୍ଲା ଯାଇଥିଲା । ଆମ୍ବୁଲାନ୍ସ ଡକାଇ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Powered by Froala Editor